ଶେଖ୍ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା
ଦିନ ଯେତିକି ଯେତିକି ବଢୁଛି, ବିବାଦ ସେତିକି ସେତିକି ବଢୁଛି । ଅଗଷ୍ଟରୁ ଦେଶ ଛାଡ଼ି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବେ ଦେଶ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି । କାରଣ ବାଂଲା କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଏହା ପରେ ସେ ନିଜ ଦେଶକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏନେଇ ଶେଖ୍ ହସିନାଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ ସେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ ।
ଅଭିଯୋଗ ଅନୁସାରେ, ଭାରତରେ ଆଶ୍ରୟ ନେଇଥିବା ହସିନା ପ୍ରଧାନମନ୍ତ୍ରୀ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ହତ୍ୟା କରିଥିବା ପରି ସାଙ୍ଘାତିକ ଅଭିଯୋଗ ଅଛି । ଅଭିଯୋଗ କୋର୍ଟରେ ପହଞ୍ଚିବା ପରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେବଳ ଆନ୍ଦୋଳନ ହୋଇଥିଲା ତାହା ନୁହେଁ ବରଂ ପୋଡ଼ାଜଳା ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନକାରୀମାନେ ଧସେଇ ପଶିଥିଲେ । ଏମିତିକି ବାଂଲାର ଆର୍ମି ହସିନାଙ୍କୁ ମାତ୍ର ୪୦ ମିନିଟ୍ର ସମୟ ଦେଇଥିବା କୁହାଯାଉଥିଲା । ସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ଚାଲିଆସିଥିଲେ ହସିନା । ଅବଶ୍ୟ ପରବର୍ତ୍ତୀ ସମୟରେ, ହସିନା ବ୍ରିଟେନ୍ ଓ ଋଷିଆ ଯିବା ନେଇ ଚର୍ଚ୍ଚା ହେଉଥିଲା ହେଲେ ଭିସା ନମିଳିବାରୁ ସେ ଭାରତରେ ହିଁ ରହିଲେ । କିନ୍ତୁ ଏହା ପରେ ବି ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ବିରୋଧରେ ରୁଜୁ ହେବାରେ ଲାଗିଛି ।