ଟୋକିଓରେ ପହଞ୍ଚିଲେ ମୋଦି, ୨୩ ବୈଠକରେ ଅଂଶଗ୍ରହଣ କରିବେ
ନୂଆଦିଲ୍ଲୀ(ଆମ ଟିଭି ): ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମେ ୨୪ରେ ହେବାକୁ ଥିବା କ୍ୱାଡ ଶିଖର ସମ୍ମିଳନୀରେ ସେ ଯୋଗଦେବେ । ଏହି ପରିପ୍ରେକ୍ଷୀରେ ମୋଦି କ୍ୱାଡ ନେତାମାନଙ୍କ ସହିତ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ।
ଜାପାନରେ ନିଜର ୪୦ ଘଣ୍ଟା ରହଣି କାଳରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୨୩ଟି ବୈଠକରେ ସାମିଲ ହେବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ତାଙ୍କର ଜାପାନ ଗସ୍ତ ବେଳେ ବ୍ୟବସାୟିକ, କୂଟନୈତିକ ଆଲୋଚନା ସାଙ୍ଗକୁ ଭାରତୀୟ ସମୁଦାୟଙ୍କ ସହ ବାର୍ତ୍ତାଳାପ କରିବେ । ସେ ଜାପାନର ପାଖାପାଖି ୩୬ କମ୍ପାନିର ସିଇଓଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଟୋକିଓରେ ସେ ଗୋଟିଏ ରାତି ବିତାଇବାକୁ ଥିବା ବେଳେ ବିମାନ ଭ୍ରମଣରେ ତାଙ୍କର ଦୁଇରାତି କଟିବ।
ସୂଚନାଯୋଗ୍ୟ, ଜାପାନ ଗସ୍ତ ପୂର୍ବରୁ ମୋଦି ରବିବାର ଏକ ବିବୃତି ଦେଇ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣକ୍ରମେ ମୁଁ ମେ ୨୩ରୁ ୨୪ ଟୋକିଓ ଗସ୍ତ କରିବି । ଟୋକିଓ ଯାତ୍ରା ସମୟରେ ମୁଁ ଭାରତ-ଜାପାନ ବିଶେଷ ରଣନୀତିକ ତଥା ବୈଶ୍ୱିକ ସହଯୋଗିତାକୁ ମଜଭୁତ ଲାଗି ନିଜ କଥାବାର୍ତ୍ତାକୁ ଆଗକୁ ବଢ଼ାଇବା ପାଇଁ ବେଶ୍ ଆଗ୍ରହୀ ।