ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ସମୟକୁ ଅପେକ୍ଷା କରିଛି ଏଏସ୍‌ଆଇ

0

ପୁରୀ (ଆମ ଟିଭି) : ରତ୍ନଭଣ୍ଡାର ମରାମତି କାମ ଆରମ୍ଭକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଫଳରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଥିବା ଦ୍ୱନ୍ଦ୍ୱ ହଟିବା ବିଳମ୍ବ ହେବା ଆଶଙ୍କା କରାଗଲାଣି । ଅତିଶୀଘ୍ର ରତ୍ନଭଣ୍ଡାର ମରାମତି  ହେବ ବୋଲି ନିକଟରେ ଆଇନମନ୍ତ୍ରୀ କହିସାରିଛନ୍ତି । ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କରୁ ବୋଲି ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଚିଠି ଲେଖି ସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଏସ୍‌ଆଇକୁ ମରାମତି କରିବାର ସମୟ ନିର୍ଘଣ୍ଟ ମିଳିଲା ନାହିଁ ।

ନୀତିକାନ୍ତିର ଏକ ଖସଡ଼ା ପ୍ରସ୍ତୁତ ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୨ଜଣିଆ ଟିମ୍‌କୁ ଦାୟିତ୍ୱ ଦେଇଛନ୍ତି । ଯାହାକୁ ସପ୍ତାହେରୁ ଅଧିକ ବିତିଗଲାଣି । ହେଲେ ଏଏସ୍‌ଆଇକୁ  ଶ୍ରୀମନ୍ଦିର ପ୍ରଶାସନ ପ୍ରତିଦିନ କେତେ ଘଣ୍ଟା ସମୟ ଦେବ ଚୂଡ଼ାନ୍ତ ସୂଚନା ସାମ୍ନାକୁ ଆସିନାହିଁ । ଶ୍ରୀମନ୍ଦିର ପ୍ରଶାସନ  ସମୟ ଦେବା କ୍ଷଣି ହିଁ କାମ କରିବାକୁ ଏଏସ୍‌ଆଇ ପ୍ରସ୍ତୁତ  ଥିବା ସୁପରିଣ୍ଟେଣ୍ଡେଣ୍ଟ ଡି. ବି. ଗଡ଼ନାୟକ କହିଛନ୍ତି ।

ଏଏସ୍‌ଆଇ ଅନ୍ୟ ଜଣେ ପ୍ରତ୍ନତତ୍ତ୍ୱବିତ୍‌ କହିଛନ୍ତି,  ରତ୍ନଭଣ୍ଡାର ଭିତର ଓ ବାହାର ପାଶ୍ୱର୍ର ଲେଜର ସ୍କାନିଂ  ସରିଥିବାରୁ ନଜର ଆସିଥିବା ଫାଟଗୁଡ଼ିକର ଦୀର୍ଘକାଳୀନ  ସ୍ଥାୟୀ ମରାମତି କରାଯିବ । ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଚୂନ  ଓ ପଲସ୍ତରା ଛଡ଼ାଯିବ । ପଥରଗୁଡ଼ିକର ଜଏଣ୍ଟଗୁଡ଼ିକୁ ଯାଞ୍ଚ କରାଯାଇ ଗ୍ରାଉଟିଂ,  କେମିକାଲ ପ୍ରଲେପ ଦେବା ଓ ଅନ୍ୟାନ୍ୟ  ସଂରକ୍ଷଣ କାମ କରାଯିବ । ପୂର୍ବ ପରି ରିପ୍ଲାଷ୍ଟରିଂ କରାଯିବ । ରତ୍ନଭଣ୍ଡାର ଭିତରେ ମଧ୍ୟ ଖରାପ ପଥରକୁ  ବଦଳାଯିବ । ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ପିଟା ଲୁହା ବିମ୍‌ଗୁଡ଼ିକ ସ୍ଥାନରେ ୪ଟି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିମ୍‌ ଦିଆଯିବ । ରତ୍ନଭଣ୍ଡାର କାନ୍ଥର ମୋଟେଇ ପ୍ରାୟ ୫ ଫୁଟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସଂରକ୍ଷଣ କାମ କରାଯିବ । କାମ ଶୀଘ୍ର ସାରିବାକୁ ହେଲେ ପ୍ରତିଦିନ ଅତିକମ୍‌ରେ  ୬ରୁ ୮ ଘଣ୍ଟା ଆବଶ୍ୟକ ବୋଲି ସେ କହିଛନ୍ତି । ଏନେଇ  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି ।

Leave A Reply

Your email address will not be published.