ଏସିଆ କପ୍: ଭାରତ- ପାକିସ୍ତାନ ମ୍ୟାଚ୍ ଡ୍ର
ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପୁଲ ଏର ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ୧-୧ରେ ମ୍ୟାଚ୍ ଡ୍ର ରହିଛି। ଭାରତ ନବମ ମିନିଟରେ କାର୍ତ୍ତି ସେଲଭମଙ୍କ ଗୋଲ୍ ଜରିଆରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ପାକିସ୍ତାନ ପକ୍ଷରୁ ଅବଦୁଲ ରାଣା ୫୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ। ତେବେ ମ୍ୟାଚ୍ ୧-୧ରେ ଡ୍ର ରହିଛି।

ପାକିସ୍ତାନକୁ ତୃତୀୟ ମିନିଟରେ ହିଁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ହେଲେ ଦଳ ଗୋଲ୍ କରି ପାରିନଥିଲା। କିଛି ସମୟ ପରେ ଭାରତ ଜୋରଦାର ଆକ୍ରମଣ କରିଥିଲା। ପେନାଲ୍ଟି ମିଳିଥିଲେ ମଧ୍ୟ ଭାରତ ଏହାର ଫାଇଦା ଉଠାଇ ପାରିନଥିଲା। ଭାରତ ପାକିସ୍ତାନୀ ଡିଫେନ୍ସ ଉପରେ ଲଗାତାର ଚାପରେ ରଖିଥିଲା। କାର୍ତ୍ତି ନିଜର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ନବମ ମିନିଟରେ ଦେଇଥିଲେ। ପୁଣି ପାକିସ୍ତାନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ବିଫଳ ହୋଇଥିଲା। ଏହା ପରେ ଦ୍ଵିତୀୟ କ୍ଵାର୍ଟର ଏବଂ ତୃତୀୟ କ୍ଵାର୍ଟରରେ ପରସ୍ପରକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଭାରତ ଏବଂ ପାକିସ୍ତାନ ଗୋଲ୍ ଦେବାରେ ବିଫଳ ହୋଇଥିଲେ। ଶେଷ ସମୟରେ ଭାରତର ଡିଫେନ୍ସରେ ତ୍ରୁଟିର ପରିଣାମ ଦଳକୁ ଭୋଗିବାକୁ ପଡିଥିଲା। ପାକିସ୍ତାନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଦଳ ପକ୍ଷରୁ ଅବଦୁଲ ରାଣା ଗୋଲ୍ ଦେଇ ପାକିସ୍ତାନକୁ ବରାବର ସ୍ଥିତିକୁ ଆଣିଥିଲେ। ଶେଷରେ ମୁକାବିଲା ୧-୧ରେ ଡ୍ର ରହିଥିଲା। ତେବେ ମଙ୍ଗଳବାର ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ରେ ଜାପାନକୁ ଭେଟିବ।