ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ଏସିଆ କପ୍ ଲଢେଇ । ଆଜି ହେଉଛି, ଏସିଆ କପ୍ ସୁପର ୪ ରାଉଣ୍ଡ । ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି ଟିମ୍ ଇଣ୍ଡିଆ । ଭାରତ-ପାକିସ୍ତାନ ସମ୍ଭାବ୍ୟ ଫାଇନାଲ୍ ପଥରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଲଙ୍କା ଓ ବର୍ଷା। ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମୁକାବିଲା ସେମିଫାଇନାଲ୍ ସଦୃଶ । ଏହି ମ୍ୟାଚ୍ର ବିଜେତା ହିଁ ଭାରତ ସହ ଫାଇନାଲ୍ ଖେଳିବ । କିନ୍ତୁ ପ୍ରତିଟି ମ୍ୟାଚ୍ ଭଳି ଏହି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ବାଦଲ ଘେରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଯଦି ଏହି ମ୍ୟାଚ୍ରୁ ଫଳାଫଳ ବାହାର କରିବାରେ ପ୍ରତିବନ୍ଧକ ହେବ ତେବେ ଘରୋଇ ଶ୍ରୀଲଙ୍କା ଉନ୍ନତ ରନ୍ ହାର ଭିତ୍ତିରେ ଫାଇନାଲ୍ ପହଞ୍ଚିଯିବ । ଭାରତ ୨ ମ୍ୟାଚ୍ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି ।
ଅବଶ୍ୟ ଶୁକ୍ରବାର ଭାରତ ଏହାର ଶେଷ ଲିଗ୍ ମ୍ୟାଚ୍ ବାଂଲାଦେଶ ସହ ଖେଳିବ । ଏହି ମ୍ୟାଚ୍ ଗୁରୁତ୍ବହୀନ ହୋଇ ପଡ଼ିଛି । କାରଣ ବାଂଲାଦେଶ ନିଜର ପୂର୍ବ ଦୁଇ ମ୍ୟାଚ୍ରେ ଶ୍ରୀଲଙ୍କା ଓ ପାକିସ୍ତାନ ନିକଟରୁ ହାରି ସୁପର୍ ଫୋର୍ରେ ପଏଣ୍ଟ ଖାତା ଖୋଲି ପାରିନାହିଁ ।