ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ୍‌ ରାଜ୍ୟପାଳ, ଜାଣନ୍ତୁ କାହିଁକି

0

ପଞ୍ଜାବ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚାଲିଛି ସାଂଘାତିକ ବାକ୍‌ ଯୁଦ୍ଧ । ସ୍ଥିତି ଏପରି ଯେ, ମୁଖ୍ୟମନ୍ତ୍ରୀଙ୍କ ଅପମାନଜନକ ଟିପ୍ପଣୀରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ରାଜ୍ୟପାଳ ପଞ୍ଜାବରେ ଥିବା ପର୍ଯ୍ୟନ୍ତ ସରକାରୀ ହେଲିକପ୍ଟର ବ୍ୟବହାର କରିବାକୁ ସିଧାସଳଖ ମନା କରି ଦେଇଛନ୍ତି।

ଗତ କିଛି ଦିନ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟପାଳ ବନୱରୀଲାଲ ପୁରୋହିତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି।

କିଛି ଦିନ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଥିଲେ, ପଞ୍ଜାବ ତଥା ଏହାର ନାଗରିକଙ୍କ ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ରାଜ୍ୟପାଳ ଏଥିରୁ ଦୂରତା ବଜାୟ ରଖୁଛନ୍ତି। ସେ ମୋ’ ହେଲିକପ୍ଟରର ଅପବ୍ୟବହାର କରୁଛନ୍ତି। ରାଜ୍ୟପାଳଙ୍କ ଦାୟିତ୍ୱ ହେଉଛି ଶପଥ ପାଠ କରାଇବା । ଅନ୍ୟ ମାମଲାରେ ଅଯଥା ହସ୍ତକ୍ଷେପ କରି ସେ ସବୁବେଳେ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ ବୋଲି କହିଥିଲେ ମାନ ।

ଏହାକୁ କାଉଣ୍ଟର କରିବାକୁ  ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଛନ୍ତି, ମୋତେ ମିଳିଥିବା ହେଲିକପ୍ଟରକୁ ମୁଁ ଅଫିସିଆଲ କାମରେ ବ୍ୟବହାର କରେ। ଉକ୍ତ ହେଲିକପ୍ଟରରେ ମୁଁ ୩,୪ ଥର ପଞ୍ଜାବ ସୀମା ନିରୀକ୍ଷଣ କରିଥିବା ବେଳେ ମୋ’ ସହ ମୁଖ୍ୟ ଶାସନ ସଚିବ ଓ ଡିଜିପି ବି ସାମିଲ ହୋଇଥିଲେ। ବ୍ୟକ୍ତିଗତ କାମ ପାଇଁ ମୁଁ ଉକ୍ତ ହେଲିକପ୍ଟରକୁ କେବେ ବି ବ୍ୟବହାର କରିନି। ଏହାସତ୍ତ୍ୱେ ମୋତେ ଅପମାନିତ କରାଯାଇଥିବାରୁ ମୁଁ ଏହା ଘୋଷଣା କରୁଛି ଯେ ଯେପର୍ଯ୍ୟନ୍ତ ପଞ୍ଜାବରେ ଅଛି, ରାଜ୍ୟ ସରକାରଙ୍କ ହେଲିକପ୍ଟର ବ୍ୟବହାର କରିବି ନାହିଁ।

 

Leave A Reply

Your email address will not be published.