୬ ଦିନ ପୂର୍ବରୁ ସରିଲା ବିଧାନସଭା ବଜେଟ୍ ଅଧିବେଶନ

0

ଭୁବନେଶ୍ୱର (ଆମ ଟିଭି): ସରିଲା ବିଧାନସଭା ବଜେଟ୍ ଅଧିବେଶନ । ୬ ଦିନ ପୂର୍ବରୁ ଅର୍ଥାତ ୪ଟି କାର୍ୟ୍ୟ ଦିବସ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ । ୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ମୋଟ ୨୩ଟି କାର୍ୟ୍ୟଦିବସ ଚାଲିଥିଲା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଛି । ସରକାର ଗୃହରେ ଉପସ୍ଥାପିତ କରିଥିବା ତିନୋଟି ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି ।

ତେବେ ଏହି ଅଧିବେଶନ ବେଶ୍ ସରଗରମ ରହିଥିଲା । ନବ ଦାସଙ୍କ ହତ୍ୟାକାଣ୍ଡ, ୫-ଟି ପ୍ରସଙ୍ଗ, ଅଫିସର ରାଜ୍,ସୀମା ବିବାଦ, ମହାନଦୀ ବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିଥିଲେ ବିରୋଧୀ । ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ବୋଲି କହିଛି ।

Leave A Reply

Your email address will not be published.