ଭୁବନେଶ୍ୱର(ଆମ ଟିଭି): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏହାପୂର୍ବରୁ ଆଜି ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାରେ ଶାସକ ଦଳକୁ ବିରୋଧୀ ଦଳ କିପରି ଘେରିବେ ଏବଂ ଶାସକ ଦଳ ବିରୋଧୀଙ୍କୁ କିପରି ମୁକାବିଲା କରିବେ, ସେନେଇ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ମାଳମାଳ ପ୍ରସଙ୍ଗ ରହିଛି ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ହେଉ କି ଜେଲରେ ଗୋବିନ୍ଦର ମୃତ୍ୟୁ, ମହାନଦୀ ଜଳ ପ୍ରସଙ୍ଗ, ହକି ନାଁରେ ହରିଲୁଟ, ହକି ପାସ ବଣ୍ଟନ ଦୁର୍ନୀତି, ବିଜୁଳି ଟିକସ, କେନ୍ଦ୍ରୀୟ ଅନୁଦାନ ବାଟମାରଣା, କେନ୍ଦ୍ର ଯୋଜନାକୁ ନିଜ ନାଁରେ କରିବା ଭଳି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ଦଳ । ଆଜି ଅପରାହ୍ଣରେ ବିଜେପି ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ପ୍ରଭାରୀ ସୁନୀଲ ବଂଶଲ ଯୋଗଦେବେ । ଦଳ କିପରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ, ସେନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଏହା ପୂର୍ବରୁ ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ହୋଇଥିଲା ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଶ ମିଶ୍ର ଆଇଆଇସିଙ୍କୁ ଧକ୍କା ମରା ଘଟଣାକୁ ପ୍ରସଙ୍ଗ କରିବ ଶାସକ ଦଳ । ଏହାସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଉଥିବା ୫କେଜି ଚାଉଳ କାହିଁକି କାଟିଲେ? ଓଡ଼ିଶାକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ବିରୋଧୀ ବିଜେପିକୁ ଘେରିବ ବୋଲି ସୂଚନା ମିଳିଛି । ସେପଟେ କଂଗ୍ରେସ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ଚାଷୀଙ୍କ ସମସ୍ୟା, ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ପ୍ରସଙ୍ଗ କରିବ ।