ଆତିଶୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଆତିଶୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ସରକାର ଗଢିବା ନେଇ ଉପରାଜ୍ୟପାଳନଙ୍କୁ ପ୍ରସ୍ତାବ ଦେଇଥିଲେ ଆତିଶୀ।
ଉପରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସେ ଆଜି ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।
ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ବିନାଇ କୁମାର ସେକ୍ସେନା ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି
।