ଭୁବନେଶ୍ୱର(ଆମ ଟିଭି): ପୁଣି ଅଶାନ୍ତ ବାଣୀବିହାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ତାତି ଦେଖିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ରବିବାର ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଜେଏନୟୁର ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍ ମଜୁମଦାର ବାଣୀବିହାର ପରିସରସ୍ଥିତ ପିଜି କାଉନସିଲ ହଲ୍ରେ ଅନୁଷ୍ଠିତ ସେମିନାରରେ ଯୋଗ ଦେବାକୁ ଆସିଥିଲେ। ଭାରତୀୟ ସମ୍ବିଧାନ ଉପରେ ସେଠାରେ ସେମିନାର ଆୟୋଜିତ ହୋଇଥିଲା । ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସହିଦନଗର ପୁଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବାଣୀବିହାର ପରିସରରେ ଛାତ୍ର ଅସନ୍ତୋଷ ପରିସ୍ଥିତି ଦେଖିବାକୁ ମିଳିଛି।