ନାଗାଲାଣ୍ଡ ମେଣ୍ଟ ସରକାରଙ୍କୁ ଟାର୍ଗେଟ କଲେ ଅୱେସି
ହାଇଦ୍ରାବାଦ : ନାଗାଲାଣ୍ଡର ଏନ୍ସିପି ବିଧାୟକମାନେ ଏନ୍ ରିଓ ସରକାରକୁ ସମର୍ଥନ କରିବା ପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ସମାଲୋଚନା କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏନ୍ଡିପିପି-ବିଜେପି ମେଣ୍ଟ ମୋଟ ୬୦ ଆସନରୁ ୩୭ ଆସନ ପାଇବା ପରେ ରିଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ବିଜେପି ସହିତ ଥିବା ମେଣ୍ଟକୁ ସମର୍ଥନ କରିଥିବାରୁ ଅୱେସି ଏନ୍ସିପି ଓ ଶରଦ ପାୱାରଙ୍କୁ ସମାଲୋଚନା କରିଛନ୍ତି। ଏଥିପାଇଁ ଏନସିପିକୁ ସେ ବିଜେପିର ବି-ଟିମ୍ କହିଛନ୍ତି। ଅୱେସି ପୁଣି ତାଚ୍ଛଲ୍ୟ କରିଛନ୍ତି- ସାହେବ ସେହିମାନଙ୍କୁ ସମର୍ଥନ କରୁଛନ୍ତି, ଯେଉଁମାନେ ତାଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ଜେଲରେ ପୂରାଇଛନ୍ତି। ସୂଚନାଯୋଗ୍ୟ, ଏନ୍ସିପିର ଉତ୍ତରପୂର୍ବ ପ୍ରଭାରୀ ନରେନ୍ଦ୍ର ବର୍ମା ଏହା ପୂର୍ବରୁ କହିଥିଲେ ଯେ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏନ୍ସିପି ରିଓ ସରକାରକୁ ସମର୍ଥନ କରିବ ବୋଲି ଶରଦ ପାୱାର ନିଷ୍ପତ୍ତି ନେଇଛନ୍ତି।