ବିଧାନସଭାରେ ବାଟବଣା ବିଜେଡି: ଗୃହକୁ ଆସୁନାହାନ୍ତି ନେତା, ଉପନେତା

0

ଭୁବନେଶ୍ବର (ଆମ ଟିଭି): ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି। ଅଛନ୍ତି ୫୧ ଜଣ ବିଧାୟକ। ସେଥିରେ ଅନୁଭବୀ ବିଧାୟକଙ୍କ ସଂଖ୍ୟା ବି ଢେର୍ ଅଧିକ। କିନ୍ତୁ ଗୃହ ଭିତରେ ପୂରା ବାଟବଣା ହୋଇଯାଇଛି ଦଳ। ବିରୋଧୀ ଦଳ ନେତା କି ଉପନେତା ଆସୁ ନାହାନ୍ତି। ଗୃହରେ ତତ୍‌କ୍ଷଣାତ୍ କିଛି ନିଷ୍ପତ୍ତି ନେଇ ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ପୂରା ଅସମର୍ଥ ହୋଇପଡ଼ିଛି ବିଜେଡି। ଦଳର ଏମିତି ଦୁର୍ବଳ ପ୍ରଦର୍ଶନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ଗୃହକୁ କମ୍ ଆସୁଥିଲେ। କେବଳ ଯେତେବେଳେ ତାଙ୍କର କିଛି ସାମ୍ବିଧାନିକ ଦାୟିତ୍ବ ତୁଲାଇବାରେ ଥାଏ, ସେତେବେଳେ ହିଁ ଆସନ୍ତି। ଅଧିକାଂଶ ଦିନ ସେ ବିଧାନସଭା ଆସୁ ନଥିଲେ। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ଏବେ ସେ ବିରୋଧୀ ଦଳ ନେତା। କିନ୍ତୁ ସେହି ଧାରା ଏବେ ବି ସେ ଜାରି ରଖିଛନ୍ତି। ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କାଁ ଭାଁ ଗୃହକୁ ଆସିଥିଲେ। କେବଳ ନିଜର ଯେତେବେଳେ କହିବାର ଥିଲା, ସେତେବେଳେ ଆସିଥିଲେ। ଗୃହରେ ହେଉଥିବା ଆଲୋଚନା ପ୍ରତି ‌ସେ ଆଗ୍ରହ ଦେଖାଉନାହାନ୍ତି। ଚଳିତ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଗତ ୨୦ ତାରିଖରୁ ଆରମ୍ଭ ହେଲା। ଏହା ମଧ୍ୟରେ ୮ଟି କାର୍ଯ୍ୟଦିବସ ସରିଛି। କିନ୍ତୁ ଥରୁଟିଏ ବି ବିରୋଧୀ ଦଳ ନେତା ବିଧାନସଭା ଆସିନାହାନ୍ତି।

ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ଉପନେତା ଦାୟିତ୍ବ ସମ୍ଭାଳିବା କଥା। କିନ୍ତୁ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅସୁସ୍ଥତା ଯୋଗୁ ବିଧାନସଭା ଆସୁନାହାନ୍ତି। ଦୁଇ ଦିନ ହେବ ଆଉ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବି ଗୃହରେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଗତକାଲି ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ବିଜେଡି ଏକ ଅପ୍ରୀତିକର ସ୍ଥିତିରେ ପଡ଼ିଯାଇଥିଲା। ଶାସକ ଦଳର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ଆନ୍ତରିକତାର ଉପରେ ପ୍ରଶ୍ନ କରିଥିଲେ। ଆଜି ମଧ୍ୟ ପୂର୍ବାହ୍ନରେ ବିଭିନ୍ନ ପ୍ରସଙ୍ଗରେ ଘମାଘୋଟ ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ କେହି ନଥିଲେ।

Leave A Reply

Your email address will not be published.