ବାହାନଗା ରେଳ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ
ଭୁବନେଶ୍ବର (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାକୁ ନେଇ ଆସିଲା ଏକ ବଡ଼ ଖବର । ବାହାନଗା ରେଳ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । କାର୍ୟ୍ୟାନୁଷ୍ଠାନ ନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି । ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା ।
ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍ଏସ୍ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି।