ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବନ୍ୟା ହେବା ନେଇ ଆକଳନ କରାଯାଇଛି । ଏସବୁ ଭିତରେ ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ବାଲେଶ୍ବର ଜିଲ୍ଳାରେ ବଡ଼ ଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀରେ ବଡ଼ ଧରଣର ବନ୍ୟା ଆସିବା ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି । ଆଉ ବନ୍ୟା ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ପାଇଁ ନିର୍ଦେଶ ଦେଇଛନ୍ତି । ଏପରି ସମୟରେ ଅବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦେଶ ରହିଛି ।
ସୂଚନା ଥାଉକି ଗତ କିଛି ଘଣ୍ଟା ପୂର୍ବରୁ ଏସଆରସି ପ୍ରଦୀପ ଜେନା ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ନିଶ୍ଚିତ ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସଆରସିଙ୍କ କହିବା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ ବୋଲି ସେ କହିଥିଲେ । ବର୍ତ୍ତମାନ ଗାଲୁଡିହି ବ୍ୟାରେଜରେ ୧୬ଟି ଗେଟ୍ ଖୋଲା ରହିଛି । ଫଳରେ ପ୍ରାୟ ୫ଲକ୍ଷ କ୍ୟୁସେକ୍ ବନ୍ୟାପାଣି ଆସୁଛି । ତେଣୁ ଏହି ଜିଲ୍ଳାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ବୋଲି ଏସଆରସି କହିଛନ୍ତି ।