ବିଜେଡିର ଇସ୍ତଫା ପର୍ବ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ବସ୍ତା ରାଜନୀତିରେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ସାରା ରାଜ୍ୟରେ ରାଜ୍ୟସଭାରେ କ୍ରସ ଭୋଟିଙ୍ଗକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ସୁବାସିନୀଙ୍କ ନିଲମ୍ବନକୁ ବିରୋଧ କରି ଜଣକୁ ଜଣ ଇସ୍ତଫା ଦଳରୁ ଦେବାରେ ଲାଗିଛନ୍ତି । ବିଜେଡି ଛାଡ଼ିଲେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଦାସ । ଆଉ ୨ ଜିଲ୍ଲାପରିଷଦ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଲେ।
ପୂର୍ବରୁ ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଥିଲେ ଅନୀଲ ମହାନ୍ତି। ୧୯୮୫ରୁ ଅନିଲ ମହାନ୍ତି ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ତିନି ତିନି ଥର ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ। ସେହିପରି ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟେ ସେମାନଙ୍କର ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହାପରେ ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ ବିଜେଡି ଛାଡିଛନ୍ତି।
ସୂଚନା ଯୋଗ୍ୟ, ଗତକାଲି ବିଜେଡିର ପିଏସି ବୈଠକ ପରେ କ୍ରସ ଭୋଟି କରିଥିବା ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ।