ନୂଆଦିଲ୍ଲୀ (ଆମ ଟିଭି): ପଡ଼ୋଶୀ ବାଂଲାଦେଶ ଏବେ ରାଜନୈତିକ ସଂକଟର ସାମ୍ନା କରୁଛି । ଢାକାରେ ଉଗ୍ର ବିଦ୍ରୋହ ପରେ ବାଂଲାଦେଶ ଛାଡି ଏବେ ଭାରତ ଶରଣରେ ଆସିଛନ୍ତି ଶେଖ ହସିନା। ଏନେଇ ଆଜି ସଂସଦକୁ ବାଂଲାଦେଶର ସ୍ଥିତି ସଂପର୍କରେ ଜଣାଇବା ସହ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ରାଜ୍ୟସଭାରେ ବିବୃତି ରଖି ଏସ ଜୟଶଙ୍କର କହିଛନ୍ତି ଢାକାରେ ହିଂସାକାଣ୍ଡ ପରେ ଅଳ୍ପ ସଂଖ୍ୟକଙ୍କୁ ଟାର୍ଗେଟ କରାଯାଉଛି । ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ ହୋଇଛି । ତେଣୁ ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକ ସମୁଦାୟଙ୍କ ସହ ଲଗାତାର ସଂପର୍କର ରହି ଭାରତ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ବାଂଲାଦେଶରେ ଥିବା ୧୯ ହଜାରରୁ ଅଧିକ ଭାରତୀୟଙ୍କୁ ସୁର କ୍ଷିତ ସ୍ୱଦେଶ ଫେରାଇ ଆଣିବା ଉପରେ ସରକାର ବିଚାର କରୁଛନ୍ତି ।
ଏଥିସହ ଜୟଶଙ୍କର କହିଛନ୍ତି, ସଂରକ୍ଷଣ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୁପ ନେବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସର୍ଟ ନୋଟିସରେ ଭାରତ ଆସିବାକୁ ଅନୁମତି ମାଗିଥିଲେ। ଆଉ ଗତକାଲି ହିଁ ଢାକାରୁ ଆସି ଦିଲ୍ଲୀ ପହଂଚିଛନ୍ତି ଶେଖ ହସିନା । ସେପଟେ ରାଜନୈତିକ ସଂକଟର ସମାଧାନ ପାଇଁ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ଉଦ୍ୟମ ଆରମ୍ଭ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜିୟା ଖଲିଦା ଜେଲରୁ ମୁକ୍ତ ହୋଇସାରିଛନ୍ତି । ଅନ୍ୟପଟେ ସଂରକ୍ଷଣ ବିରୋଧୀଙ୍କ ଦାବି ସରକାରର ନେତୃତ୍ବ ନୋବେଲ ବିଜେତା ମହମ୍ମଦ ୟୁନୁସ ନିଅନ୍ତୁ ବୋଲି ଦାବି କରୁଛନ୍ତି । ତେବେ ନୂଆ ସରକାରର ମୁଖ୍ୟ ଉପଦେଷ୍ଟା ହେବାକୁ ମହମ୍ମଦ ୟୁନୁସ ରାଜି ହୋଇଥିବା ସୂଚନା ମିଳିଛି। ଏକ ସ୍ଥିର ସରକାର ଗଠନ ପାଇଁ ବାଂଲାଦେଶର ରାଷ୍ଟ୍ରପତି ଓ ସେନାଧ୍ୟକ୍ଷ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରୁଛନ୍ତି ।