ଭାରତରେ ବିବିସିକୁ ବ୍ୟାନ୍ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ(ଆମ ଟିଭି): ଗୁଜୁରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶ ଉଠିଥିଲା ପଡ଼ିଥିଲା । ଏହାକୁ ନେଇ ବେଶ୍ ରାଜନୀତି ସରଗରମ ହୋଇଥିଲା । ଏହାରି ଭିତରେ ଭାରତରେ ବିବିସିର କାର୍ୟ୍ୟକ୍ରମକୁ ବନ୍ଦ କରିବା ନେଇ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା କୋର୍ଟର ସମୟ ନଷ୍ଟ କରୁଛି ଏବଂ କୋର୍ଟ ତରଫରୁ ଏଭଳି ଆଦେଶ ଦିଆଯାଇପାରିବ ନାହିଁ ।
ହିନ୍ଦୁସେନା ତରଫରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା କି ବିବିସି ବା ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେଶନର କାର୍ୟ୍ୟକ୍ରମ ଉପରେ କୋର୍ଟ ପ୍ରତିବନ୍ଧକ ଲଗାନ୍ତୁ ଓ ବିବିସିକୁ ଭାରତରେ ବ୍ୟାନ କରାଯାଉ । କେବଳ ସେତିକି ନୁହେଁ ହିନ୍ଦୁସେନା ତା’ର ଆବେଦନରେ କହିଥିଲା କି, ବିବିସି ଦ୍ୱାରା ଭାରତର ଏକତା ଓ ଅଖଣ୍ଡତା ଭଙ୍ଗ କରିବାକୁ ଷଡଯନ୍ତ୍ର କରାଯାଉଛି । ଏହାର ଯାଂଚ ଜାତୀୟ ଯାଂଚ ଏଜେନ୍ସି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ଏହାପୂର୍ବରୁ ଫେବୃଆରୀ ୩ ତାରିଖରେ ସୁପ୍ରିମକୋର୍ଟ ତରଫରୁ ୨୦୦୨ ଦଙ୍ଗା ସମ୍ବନ୍ଧିତ ବିବିସି ଡକ୍ୟୁମେଣ୍ଟାରୀକୁ ସେନ୍ସର କରିବାରୁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଜବାବ୍ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ ।