ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱକପ୍ ମ୍ୟାଚରେ ଫୁଟିବନି ବାଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ । ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି ସହରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ଆତଶବାଜିକୁ ବ୍ୟାନ୍ କରାଯାଇଛି । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।
ସୂଚନା ମୁତାବକ, ବିଶ୍ୱକପ ମ୍ୟାଚରେ ବାଣ ଫୁଟାଇବାକୁ ନେଇ କଟକଣା ଲାଗୁ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କୁ ଅବଗତ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଟ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨ରେ ଭାରତ- ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଓ ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) କାରଣରୁ ଏହି ଦୁଇ ସହରରେ ଅନୁଷ୍ଠିତ ମ୍ୟାଚରେ ବାଣ ଫୁଟାଇବାକୁ ନିଷେଧ କରାଯାଇଛି ।