ଶରୀରର ସମ୍ପୂର୍ଣ୍ଣ ପୋଷଣ, ଶିଶୁଙ୍କ ସଠିକ ଅଭିବୃଦ୍ଧି ଓ ସୁସ୍ଥ ଜୀବନ ପାଇଁ କ୍ଷୀର (ଦୁଧ) ଏକ ଅତ୍ୟନ୍ତ ଆବଶ୍ୟକ ଖାଦ୍ୟ ଉପାଦାନ । ଏହାକୁ “ସମ୍ପୂର୍ଣ୍ଣ ଖାଦ୍ୟ” ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଶରୀର ପାଇଁ ଦରକାରୀ ଅନେକ ପୋଷକ ତତ୍ତ୍ବ ରହିଛି । ଏଥିରେ କ୍ୟାଲସିୟମ୍, ପ୍ରୋଟିନ, ଭିଟାମିନ D, A ଓ B ଭଳି ପୋଷକ ତତ୍ତ୍ବ ରହିଛି । ଶାରୀରିକ ବୃଦ୍ଧି ଠାରୁ ନେଇ ମାନସିକ ବିକାଶ ପର୍ଯ୍ୟନ୍ତ ଖିରର ଅନେକ ସ୍ବାସ୍ଥ୍ୟ ଉପକାରିତା ରହିଛି । ତେବେ ବଜାରରୁ ଖିର ପ୍ୟାକେଟ କିଣୁଥିଲେ ନିଶ୍ଚିତ କିଛି କଥା ଉପରେ ନିଶ୍ଚୟ ଧ୍ୟାନ ଦେବା ଆବଶ୍ୟକ ।
କ୍ଷୀର ପ୍ୟାକେଟ କିଣିବା ବେଳେ ଭୁଲନ୍ତୁ ନାହିଁ ଏହି ସବୁ କଥା:
1. ଏକ୍ସପାରୀ ବା ୟୁଜ୍ ବାୟ ତାରିଖ:
କ୍ଷୀର ପ୍ୟାକେଟ କିଣିବା ବେଳେ ସାଧାରଣ ଭାବେ ଏହି କଥା ସମସ୍ତଙ୍କୁ ଜଣାଥାଏ । ସର୍ବଦା ପ୍ରଥମେ ଏକ୍ସପାରୀ କିମ୍ବା ନିଦ୍ଦିଷ୍ଟ ତାରିଖର ସମୟ ମଧ୍ୟରେ ବ୍ୟବହାର କରିବା ପାଇଁ ଲିଖିତ ରହିଥାଏ । ତାହା ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ । 1ରୁ 2 ଦିନ ପର୍ଯ୍ୟନ୍ତ ଏକ୍ସପାରୀ ତାରିଖ ଥିବା ବିଶିଷ୍ଟ ଖିର କିଣିବାକୁ ଚେଷ୍ଟା କରନ୍ତୁ । ବାସି ଖିର ପିଇବା ଦ୍ବାରା ପେଟ ଖରାପ ହେବା ସହିତ ଖାଦ୍ୟ ବିଷାକ୍ତ ହେବା ଭଳି ସମସ୍ୟା ଦେଖା ଦେଇପାରେ ।
2. କ୍ଷୀରର ସିଲ ଓ ଲିକେଜ:
କ୍ଷୀର ପ୍ୟାକେଟରେ ଲିକେଜ କିମ୍ବା ପବନ ରହିବା ଅନୁଚିତ । କ୍ଷୀର ପ୍ୟାକେଟ ସିଲ ପାଖରେ ଖିର ଲିକ କରୁଛି କିମ୍ବା ନାହିଁ ଲକ୍ଷ୍ୟ କରନ୍ତୁ ।
3. ତାପମାତ୍ରା:
ଆପଣ କ୍ଷୀର କିଣୁଥିବା ଦୋକାନୀ ଖିରକୁ ସଠିକ ଭାବରେ ରଖୁଛନ୍ତି କିମ୍ବା ନାହିଁ ଦେଖନ୍ତୁ । ଖିର ସର୍ବଦା 4 ଡିଗ୍ରୀରୁ କମ୍ ତାପମାତ୍ରାରେ ରଖାଯିବା ଆବଶ୍ୟକ । ଖରାରେ ଥିବା, ଖୋଲା କିମ୍ବା ଫଟା ଥିବା ଖିର ପ୍ୟାକେଟ କିଣିବାରୁ ବର୍ତ୍ତନ୍ତୁ ।
4. FSSAI ଲୋଗୋ ଓ ଲାଇସେନ୍ସ ନମ୍ବର:
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା FSSAI ଲୋଗୋ ଥିବା ଖିର ପ୍ୟାକେଟ କିଣନ୍ତୁ । କାରଣ ଏହା FSSAI ଦ୍ବାରା ପରୀକ୍ଷିତ । ଏଥିରେ FSSAI ଲୋଗୋ ଖିରର ମାନକ ସରକାରୀ ଷ୍ଟାଣ୍ଡାର୍ଡକୁ ପୂରଣ କରୁଥିବା ନେଇ ସୂଚିତ କରିଥାଏ ।
5. ଶୁଦ୍ଧତାର ପ୍ରମାଣ:
କ୍ଷୀର ପ୍ୟାକେଟରେ ଶୁଦ୍ଧତାର ପ୍ରମାଣ ନିଶ୍ଚୟ ଯାଞ୍ଚ କରନ୍ତୁ । କିଛି ବ୍ରାଣ୍ଡ ଅପମିଶ୍ରଣକୁ ରୋକିବା ପାଇଁ QR କୋର୍ଡ କିମ୍ବା ହୋଲୋଗ୍ରାମ ଆଦି ଖିର ପ୍ୟାକେଟରେ ଲଗାଇଥାନ୍ତି । ଆପଣ ଏହାକୁ ସ୍କାନ କରି ଏହାର ଶୁଦ୍ଧତା ବିଷୟରେ ଯାଞ୍ଚ କରିପାରିବେ ।
6. ନକଲି ଖିର ପ୍ୟାକେଟ:
ଯଦି କ୍ଷୀର ପ୍ୟାକେଟ ଅତ୍ୟଧିକ ଫୁଲି ଯାଇଥିବା ପରି ମନେ ହୁଏ ତେବେ ଏହାକୁ କିଣନ୍ତୁ ନାହିଁ । ଏଥିରେ ବ୍ୟାକ୍ଟେରିଆଙ୍କ ବଂଶ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟାକ୍ଟେରିଆ ଦ୍ବାରା ନିର୍ଗତ ଗ୍ୟାସ ଫଳରେ ଖିରପ୍ୟାକେଟ ଫୁଲି ଯାଇଥାଏ । ଏପରି କ୍ଷୀର ଶରୀର ପାଇଁ କ୍ଷତିକାରକ ସାଜିଥାଏ ।
7.କେଉଁ ପ୍ରକାରର କ୍ଷୀର ପିଇବେ ବାଛନ୍ତୁ:
ଆଜିକାଲି ବଜାରରେ ଫୁଲ କ୍ରିମ, ଟୋନ୍ଡ ଓ ଡବଲ ଟୋନ୍ଡ ଭଳି ଖିର ବିକ୍ରୟ କରାଯାଉଛି । ଆପଣଙ୍କ ଆବଶ୍ୟକ ଅନୁଯାୟୀ କ୍ଷୀରର ଚୟନ କରନ୍ତୁ ।
ଫୁଲ୍ କ୍ରିମ: ଏହି କ୍ଷୀର ବଢୁଥିବା ଶିଶୁ ଓ ଓଜନ ବଢାଇବା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଉତ୍ତମ । ଏଥିରେ ଫ୍ୟାଟ୍ ରହିଥାଏ ।
ଟୋନ୍ଡ: ଏଥିରେ ସନ୍ତୁଳିତ ପରିମାଣରେ ଫ୍ୟାଟ ରହିଥାଏ । ଦୈନନ୍ଦିନ ଚା ଓ କଫିରେ ବ୍ୟବହାର କରାଯାଇପାରେ ।
ଡବଲ ଟୋନ୍ଡ: ଏଥିରେ କମ୍ ପରିମାଣରେ ଫ୍ୟାଟ ରହିଥାଏ । ଓଜନ ହ୍ରାସ କରିବା ଏବଂ ହୃଦରୋଗୀଙ୍କ ପାଇଁ ଏହା ସର୍ବୋତ୍ତମ ଅଟେ ।