ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ନବୀନ ଦେଲେ ମନ୍ତ୍ର

0

ଭୁବନେଶ୍ୱର (ଆମ ଟିଭି): ୨୫ ବର୍ଷ ପୁରି ୨୬ବର୍ଷରେ ପାଦ ଦେବ ବିଜୁ ଜନତା ଦଳ ବା ଶାସକ ଦଳ ବିଜେଡି । ଡିସେମ୍ବର ୨୬ରେ ବିଜେଡି ତାର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହା ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ବାର୍ତ୍ତାରେ ବିଜୁ ବାବୁଙ୍କ ନୀତି, ଆଦର୍ଶ ତଥା ଓଡ଼ିଶାର ସବୁ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଦଳର ଆଭିମୁଖ୍ୟକୁ ଓଡ଼ିଶାର ଅଗଣିତ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ଦେଇଛନ୍ତି ବିଜେଡି ସୁପ୍ରିମୋ। ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକଙ୍କ ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥୀମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜେଡିକୁ ଲୋକଙ୍କ ନିକଟତର କରିଛି। ଲଗାତର ବିଭିନ୍ନ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଥିବା ଆସ୍ଥା ପ୍ରମାଣିତ ହୋଇଛି । ୨୫ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ୟ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳଗୁଡ଼ିକ ଭିତରେ ବିଜେଡିକୁ ଏକ ପ୍ରଶଂସନୀୟ ପରିଚୟ ଆଣି ଦେଇଛନ୍ତି।

୨୫ ବର୍ଷ ପୂର୍ତ୍ତିର ସଫଳତାକୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖକ୍ଷେତ୍ର ପୁରୀରେ ପାଳନ କରାଯିବ। ଏଥିରେ ଦଳର ସବୁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ ଓ ବିଧାୟକ, କ୍ଷେତ୍ରୀୟ ଜନପ୍ରତିନିଧି, ଯୁବ, ଛାତ୍ର, ମହିଳା ଆଦି କାର୍ୟ୍ୟକର୍ତ୍ତାମାନେ ଯୋଗ ଦେବେ। ଏହି ପୂର୍ତ୍ତି ଉତ୍ସବ ଗୋଟିଏ ପକ୍ଷ ଧରି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ସମାରୋହ ବର୍ଷତମାମ ବିଭିନ୍ନ ପର୍ୟ୍ୟାୟରେ ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ ପାଳନ କରାଯିବ।

Leave A Reply

Your email address will not be published.