ବାହାନଗା ରେଳ ଦୁର୍ଘଟଣା: ୩ଜଣଙ୍କୁ ଉଠାଇନେଲା ସିବିଆଇ

0

ବାହାନଗା (ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ସିବିଆଇ ତାର ତଦନ୍ତ ଜାରି ରଖିଛି । ୧୦ ଜଣିଆ ସିବିଆଇ ଦଳ ଯାଞ୍ଚ ଜାରି ରଖିବା ସହ ୩ ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି । ସେହିପରି ୯ ଜଣ ରେଳ କର୍ମଚାରୀ ସିବିଆଇ ନଜରରେ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ସିବିଆଇର ଅନୁମତି ନ ମିଳିବା ପର୍ୟ୍ୟନ୍ତ ବାହାନଗା ଷ୍ଟେସନରେ ଟ୍ରେନ ଅଟକିବ ନାହିଁ।

ଶନିବାର ସିବିଆଇ ଦଳ ତଦନ୍ତ କରିବା ପରେ ଜଣେ ଷ୍ଟେସନ ମାଷ୍ଟର, ଜଣେ ସିଗ୍ନାଲ ଟେକ୍ନିସିଆନ ଏବଂ ଜଣେ ଦକ୍ଷିଣ କେବିନ ଗେଟମେନଙ୍କୁ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କୁ ସିବିଆଇ ଦଳ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରାଉଚରା ଚାଲିଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଦୁର୍ଘଟଣା ଦିନ ସକାଳୁ ସିଗ୍ନାଲରେ ତ୍ରୁଟି ରହିଥିବା କାର୍ୟ୍ୟରତ କର୍ମଚାରୀ ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଷ୍ଟେସନ ମାଷ୍ଟର ସିଗ୍ନାଲ ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣା ଦିନ ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ ଟେକ୍ନିସିଆନଙ୍କୁ ଡାକିଥିଲେ। ଟେକ୍ନିସିଆନ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେସନ ମାଷ୍ଟର ତାଙ୍କୁ ବାରମ୍ବାର ଫୋନ କରିଥିଲେ । ଟ୍ରେନ ଚଳାଚଳ କରିବା ପାଇଁ ସିଗ୍ନାଲ ଠିକ କରିଦେବାକୁ କହିଥିଲେ। ଦିନ ୧୧ଟାରେ ଟେକନିସିଆନ ଷ୍ଟେସନରେ ପହଞ୍ଚି ସିଗ୍ନାଲ ଠିକ କରିଥିଲେ। ଏହା ସଠିକ ଭାବେ କାମ କରୁଥିଲା କି ନାହିଁ, ତାହା ଷ୍ଟେସନ ମାଷ୍ଟର ଯାଞ୍ଚ କରିଥିଲେ କି ନାହିଁ ସନ୍ଦେହ ଘେରରେ ରହିଛି ।

Leave A Reply

Your email address will not be published.