ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ କରୋନାକୁ ନେଇ ଭୟାବହତା ଖେଳିଯାଇଥିବା ବେଳେ ଏବେ ସମସ୍ତେ କରୋନା ନିୟମ ମାନିବାକୁ କେନ୍ଦ୍ର ସରକାର କହିଲେଣି । ଏହାରି ଭିତରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀଙ୍କ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋଭିଡ ନିୟମ ପାଳି ନପାରିଲେ ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାହୁଲ ଗାନ୍ଧୀ ଓ ଅଶୋକ ଗେହଲଟଙ୍କୁ ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ କହିଛନ୍ତି କେନ୍ଦ୍ର ସରକାର ଭାରତ ଯୋଡ଼ ଯାତ୍ରାର ସଫଳତା ଦେଖି ଡରି ଯାଇଛନ୍ତି । ଏହାକୁ ରୋକିବା ପାଇଁ କରୋନା ବାହାନା କରୁଛନ୍ତି । ତେବେ କୌଣସି ସ୍ଥିତିରେ ବି ଯାତ୍ରା ବନ୍ଦ ହେବନାହିଁ ବୋଲି ରାହୁଲ ଘୋଷଣା କରିଛନ୍ତି ।
ସେହିପରି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ଯାତ୍ରାକୁ କେନ୍ଦ୍ର ସରକାର ଆଇନ ବା ଷଡଯନ୍ତ୍ର ଦ୍ୱାରା ବନ୍ଦ କରିପାରିଲେ ନାହିଁ । ତେଣୁ ଲାଗୁଛି କେନ୍ଦ୍ର ସରକାର ଏବେ କୋଭିଡ-୧୯ ଭୂତାଣୁ ଛାଡ଼ିଛନ୍ତି ବୋଲି ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରାରେ ରାଲି କରିଥିଲେ । ସେତେବେଳେ ତ କୋଭିଡ ନିୟମ ମାନି ନଥିଲେ । କୋଭିଡ ଦ୍ୱିତୀୟ ଲହର ବେଳେ ମଧ୍ୟ ମୋଦୀ ପଶ୍ଚିମବଙ୍ଗରେ ବିନା ମାସ୍କରେ ରାଲି କରୁଥିଲେ । ଏବେ କଟକଣା କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି ।