ଉତ୍ତରପ୍ରଦେଶ ପହଞ୍ଚିଲା ଭାରତ ଯୋଡ଼ୋ ଯାତ୍ରା’
ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ବାଗତ କରିଛନ୍ତି। ୯ ଦିନର ଖ୍ରିଷ୍ଟମାସ ଏବଂ ନୂଆବର୍ଷ ବିରତି ପରେ ଆଜି ପୂର୍ବାହ୍ନ ୧୦ଟା ସମୟରେ କାଶ୍ମୀର ଗେଟ୍ ନିକଟସ୍ଥ ଦିଲ୍ଲୀର ମରଘଟ ହନୁମାନ ମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନି ସୀମା ଦେଇ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ତେବେ ଉତ୍ତରପ୍ରଦେଶରେ ଯାତ୍ରା ଆଜି ପ୍ରବେଶ କରିବା ସମୟରେ ଗାଜିଆବାଦ ରୋଡ୍ରେ ପ୍ରବଳ ଟ୍ରାଫିକ ଜାମ ଦେଖାଦେଇଥିଲା। ଉତ୍ତରପ୍ରଦେଶରେ ଯାତ୍ରାକୁ ସ୍ବାଗତ କରି ପ୍ରିୟଙ୍କା କହିଛନ୍ତି, ‘ମୋର ଭାଇ ପାଇଁ ମୁଁ ଖୁବ୍ ଗର୍ବିତ। ମୋ ଭାଇଙ୍କୁ ବଦନାମ କରିବାପାଇଁ ସରକାର ହଜାର ହଜାର କୋଟି ଖର୍ଚ୍ଚ କରୁଛନ୍ତି। ତାଙ୍କ ପଛରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଲାଗିଛି। ମୋ ଭାଇ ଅଟକିନାହାନ୍ତି କି ତାଙ୍କୁ ଅଦାନି-ଅମ୍ବାନି କିଣିପାରିନାହାନ୍ତି’।
ଯାତ୍ରାରେ ଯୋଗ ଦେଇଥିବା ପ୍ରତି ଭାରତୀୟଙ୍କ ପାଇଁ ସେ ଗର୍ବିତ ବୋଲି ପ୍ରିୟଙ୍କା କହିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ କର୍ମୀଙ୍କୁ ବାର୍ତ୍ତା ଦେଇ ପ୍ରିୟଙ୍କା କହିଛନ୍ତି, ଯାତ୍ରାରେ ସାମିଲ ହୋଇ ଭଲପାଇବା ବାଣ୍ଟିବାକୁ ହେବ। ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରାରେ ପ୍ରିୟଙ୍କା ରାହୁଲଙ୍କ ସହ ଯୋଗ ଦେବା ବେଶ୍ ଉତ୍ସାହ ସୃଷ୍ଟି କରିଛି। ଉତ୍ତରପ୍ରଦେଶରେ ଯାତ୍ରା ୩ରୁ ୫ ପର୍ଯ୍ୟନ୍ତ ଚାଲିବ। ଜାନୁଆରି ୬ରେ ଯାତ୍ରା ହରିୟାଣା ପହଞ୍ଚିବ ଏବଂ ୧୦ରେ ହରିୟାଣା ଛାଡ଼ି ୧୧ରେ ଯାତ୍ରା ପଂଜାବ ପ୍ରବେଶ କରିବ।