ନୂଆଦିଲ୍ଲୀ (ଆମ ଟିଭି): ଇଡ଼ି କବଳରେ ମନୀଷ ସିସୋଦିଆ । ତାଙ୍କ ଘରେ ଇଡି ଚଢାଉ କରିଥିଲା । ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି । ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନିଶ ସିସୋଦିଆ ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ।
ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ ସେମାନେ ତାଙ୍କ ଉପରେ ସିବିଆଇ ରେଡ୍ କରୁଛନ୍ତି। ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି।