ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଭିତରକନିକା ବନ୍ଦ

0

କେନ୍ଦ୍ରାପଡ଼ା (ଆମ ଟିଭି): ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ। ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ। ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା। ଏହି ୩ ମାସ ଭିତରକନିକା ଭିତରେ ବୋଟ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା’ କୁମ୍ଭୀରମାନେ ଅଣ୍ଡାଦାନ କରିଥାନ୍ତି। ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏଁ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା’କୁମ୍ଭୀର।

ଅଣ୍ଡାଦାନ ପରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଥାଏ। ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ। ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

Leave A Reply

Your email address will not be published.