ଜୟନାରାୟଣଙ୍କୁ କଡ଼ା ସମାଲୋଚନା କଲେ ଭୂପିନ୍ଦର, କହିଲେ ଫୁଟ୍‌ବଲ ରେଫରି ଥିଲେ ସେଥିପାଇଁ ହୁଇସିଲ୍‌ ମାରିବା…

0

ଭୁବନେଶ୍ବର (ଆମ ଟିଭି):  ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। ସେ କହିଛନ୍ତି, ଭାଷାର ସଂଯମତା ରହିବା ଦରକାର। ତାଙ୍କ କଥାକୁ ଦଳରେ କେହି ଶୁଣୁନାହାନ୍ତି, କୌଣସି ଦାୟିତ୍ୱ ଦେଉନି ଦଳ। ଫୁଟବଲ ରେଫ୍‌ରି ଥିଲେ, ସେଥିପାଇଁ ହୁଇସିଲ୍‌ ମାରିବା କଥା କହୁଥିବେ। କୌଣସି ଦଳ ଭାଙ୍ଗେନା, ଆଇପିଏଲ ଭଳି ନେତା କିଣାବିକା ହେଉଛି। ବହୁତ ଖେଳାଳି ବାହାରିଲେଣି, ଆମ ଦଳରେ ଖେଳାଳି ରେଡ୍ଡି। ବିଜେଡି ସବୁବେଳେ ସମଦୂରତା ବଜାୟ ରଖିଛି ଆଉ ଆଗକୁ ରଖିବ ମଧ୍ୟ ବୋଲି ଭୂପିନ୍ଦର କହିଛନ୍ତି।

ସୂଚନାଯୋଗ୍ୟ, ଜୟନାରାୟଣ କହିଥିଲେ ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ। ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ । ଭାଜପା ଯେଉଁଦିନ ହୁଇସିଲ୍‌ ମାରିବ ସେଦିନ ବିଜେଡି ଗୁଣ୍ଡଗୁଣ୍ଡ ହୋଇଯିବ। ଏମିତିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାଜପାକୁ ପଳେଇ ଆସିପାରନ୍ତି ବୋଲି କହିଥିଲେ। ଏଭଳି ବିସ୍ଫୋରକ ବୟାନ ଦେଇଥିବାରୁ ଆଜି କଡ଼ା ସମାଲୋଚନା କରିଛନ୍ତି ଭୂପିନ୍ଦର। କେବଳ ଏତିକି ନୁହେଁ, ଜୟନାରାୟଣ କହିଥିଲେ, ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ। ମୁଁ ଶତ୍ରୁକୁ ମାରିବାକୁ ଚାହେଁନି, ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି ।

ବିଜେଡିକୁ ତାତ୍ସଲ୍ୟ କରି ସେ ଆହୁରି ମଧ୍ୟ କହିଥିଲେ, ଭାଜପା ଚାହୁଁନି ବିଜେଡି ଭାଙ୍ଗୁ। ଆମର ଲକ୍ଷ୍ୟ ନୁହେଁ ବିଜେଡି ଶୂନ କରିବା । ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ବାଗତ। ଆମର ରାଜ୍ୟ ସଭାରେ ଆବଶ୍ୟକତା ଅଛି। ବିଜେଡି କ’ଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ନବୀନ ବି ପଳେଇ ଆସିବେ ବୋଲି ଜୟନାରାୟଣ ମିଶ୍ର କହିଥିଲେ।

Leave A Reply

Your email address will not be published.