ମୋଦୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି ବାଇଡେନ୍
ନୂଆଦିଲ୍ଲୀ(ଆମ ଟିଭି): ପୁଣି ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବାଇଡେନ୍ । ଏଥର ଗ୍ରୀଷ୍ମଋତୁରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଜିସଭାରେ ଆପ୍ୟାୟନ କରିବା ଲାଗି ଯୋଜନା କରୁଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନେ କହିଛନ୍ତି।
ଅବାଧ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକୀୟ ପ୍ରଶାସନ ନୀତି ଓ ଉପକ୍ରମ ସହିତ ଅଗ୍ରସର ହେଉଥିବା ବେଳେ ଏହି ସରକାରୀ ଗସ୍ତ ଆମେରିକା ଓ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସଙ୍କେତ ଦେଉଛି। ସୂଚନା ଯୋଗ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ ତା’ର ପ୍ରାଧାନ୍ୟ ବିସ୍ତାର କରିଚାଲିଥିବାରୁ ଆମେରିକା ଉପରୋକ୍ତ ପଦକ୍ଷେପ ଗ୍ରହଣ କରୁଛି। ‘ଷ୍ଟେଟ୍ ଡିନର୍’ ବା ଭୋଜିସଭା ଜୁନ୍ ମାସରେ କରିବା ଲାଗି ହ୍ବାଇଟ୍ ହାଉସ୍ ଲକ୍ଷ୍ୟ ରଖିଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟରେ ଅଦଳ ବଦଳ ହୋଇପାରେ ବୋଲି ତଥ୍ୟାଭିଜ୍ଞମାନେ କହିଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ଲାଗି ଜାତୀୟ ସୁରକ୍ଷା ପରିଷଦ୍ର ଜଣେ ମୁଖପାତ୍ର ଅଗ୍ରାହ୍ୟ କରି ଦେଇଛନ୍ତି।