ବାଇଡେନଙ୍କ ଐତିହାସିକ ନିଷ୍ପତ୍ତି, ଜାଣନ୍ତୁ କଣ
ୱାସିଂଟନ୍: ସମଲିଙ୍ଗୀ ଓ ଅନ୍ତର୍ଜାତୀୟ ବିବାହକୁ ସୁରକ୍ଷା ଦେବାକୁ ଉଦ୍ଦୀଷ୍ଟ ବିଧେୟକରେ ମଙ୍ଗଳବାର ଅପରାହ୍ଣରେ ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ବାକ୍ଷର କରିଛନ୍ତି।ଏହି ଆଇନ ପ୍ରତ୍ୟାହାର ହେବାର ସମ୍ଭାବନା ଅଛି ବୋଲି ଆଶଙ୍କା ଉପୁଜିଥିବା ବେଳେ ରାଷ୍ଟ୍ରପତିଙ୍କ ଉପରୋକ୍ତ ପଦକ୍ଷେପକୁ ମାନବ ଅଧିକାର ଆଡ୍ଭୋକେଟ୍ମାନେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କହି ସ୍ବାଗତ କରିଛନ୍ତି।
‘ରେସ୍ପେକ୍ଟ୍ ଫର୍ ମ୍ୟାରେଜ୍ ଆକ୍ଟ’ ବୋଲି ଜଣାଶୁଣା ଏହି ବିଧେୟକକୁ ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସ୍ ଲନ୍ରେ ସ୍ବାକ୍ଷର କରିବା ପରେ ତାହା ଆଇନରେ ପରିଣତ ହୋଇଛି। ଏହି ସ୍ବାକ୍ଷର କାର୍ଯ୍ୟକ୍ରମରେ ଡେମୋକ୍ରାଟିକ୍ ସାଂସଦଙ୍କ ସମେତ ହଜାର ହଜାର ସମର୍ଥକ ସମବେତ ହୋଇଥିଲେ।
ବର୍ଷ ବର୍ଷ ଧରି ସମାନତା ଓ ନ୍ୟାୟ ପାଇଁ ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇ ବାଇଡେନ୍ କହିଲେ, ଆଜି ଗୋଟାଏ ଶୁଭଦିନ। କେବଳ କେତେକଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ସମାନତା, ସ୍ବାଧୀନତା, ଓ ନ୍ୟାୟ ନିମନ୍ତେ ଆମେରିକା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ଦିନଟିଏ।
ନଭେମ୍ବର ଶେଷର ଆମେରିକା ସିନେଟ୍ରେ ସଫଳ ମତାଦାନ ପରେ ଡିସେମ୍ବର ୮ ତାରିଖ ଦିନ ଆମେରିକାର ପ୍ରତିନିଧି ସଭା ଦୁଇରାଜନୈତିକ ଦଳଦ୍ବାରା ସମର୍ଥିତ ଏହି ବିଧେୟକକୁ ପାରିତ କରିଥିଲା।
ଲିଙ୍ଗ, ଜାତି, ମୂଳ ଅଧିବାସ ବା ଜନ୍ମିତ ଦେଶ ଆଧାରକୁ ଭିତ୍ତି କରି ଉପୁଜୁ ଥିବା ବୈବାହିକ ଅସ୍ବୀକୃତିକୁ ଏହି ଆଇନ ଖଣ୍ଡନ କରିବ। ଏଥି ସହିତ ବିବରୀତ ଲିଙ୍ଗର ବିବାହକୁ ବିବାହ ଦର୍ଶାଉଥିବା ସାମ୍ପ୍ରତିକ ‘ଫେଡେରାଲ୍ ଲ’ର ବ୍ୟବସ୍ଥାକୁ ଏହି ନୂଆ ଆଇନ ଉଚ୍ଛେଦ କରିବା ସହ ନୂତନ ନିୟମ ପ୍ରଣୟନ କରିବ।