ମକ୍ ଡ୍ରିଲ ପୂର୍ବରୁ ବଡ ବୈଠକ : ପ୍ରସ୍ତୁତ ଭାରତ, ଛାନିଆ ପାକିସ୍ତାନ!

0

ଏନଏସଏ ଉପଦେଷ୍ଟା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାସସ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକ ପାକିସ୍ତାନର ଅଭିଯୋଗ ପରେ ହୋଇଛି, ଯେଉଁଥିରେ ପାକିସ୍ତାନ କହିଛି ଯେ ଭାରତ ଚେନାବ ନଦୀର ଜଳପ୍ରବାହକୁ ଅବରୋଧ କରି ଖରିଫ୍‌ ଫସଲ ଋତୁକୁ ବିପଦରେ ପକାଇଛି । ସୂତ୍ର ଅନୁଯାୟୀ, ଏହି ବୈଠକରେ ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି । ଡୋଭାଲ ଏବଂ ମୋଦୀଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାୟ ୪୦ମିନିଟ ଧରି ଚାଲିଥିଲା । ବୈଠକରେ ସିନ୍ଧୁ ଜଳ ଚୁକ୍ତି ଏବଂ ପାକିସ୍ତାନର ଅଭିଯୋଗକୁ ନେଇ ଭାରତର ଆଗାମୀ ପଦକ୍ଷେପ ଉପରେ ବିଚାର କରାଯାଇଥିବା ଜଣାପଡ଼ିଛି । ପାକିସ୍ତାନ ଦାବି କରିଛି, ଭାରତ ଜମ୍ମୁର ବାଗଲିହାର ଓ ସାଲାଲ ଡ୍ୟାମ୍‌ରେ ଜଳ ଅଟକାଇ ରଖିଛି, ଯାହା ତାଙ୍କ କୃଷି ଉପରେ ଗୁରୁତର ପ୍ରଭାବ ପକାଇପାରେ । ଏହା ବ୍ୟତୀତ, ବୈଠକରେ ସୀମାନ୍ତ ଉତ୍ତେଜନା ଏବଂ ଆତଙ୍କବାଦୀ ଘଟଣା ଉପରେ ମଧ୍ୟ ଆଲୋଚନା ହୋଇଥାଇପାରେ । ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଇଥିବା ସୂଚନା ମିଳିଛି । ସରକାରୀ ସୂତ୍ରରୁ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ, କିନ୍ତୁ ଏହି ବୈଠକ ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ କୂଟନୈତିକ ପଦକ୍ଷେପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଅନ୍ୟପଟେ କାଲିଠୁ ଦେଶରେ ୨୪୪ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ । ଉତ୍ତର ପ୍ରଦେଶର ୧୯ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ ସେହିପରି ଓଡିଶାରେ ୧୨ଟି ସ୍ଥାନରେ କରାଯିବ ମକ୍ ଡ୍ରିଲ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମକ୍ ଡ୍ରିଲ୍‌ର ଗୁରୁତ୍ୱ ଅତ୍ୟନ୍ତ ବେଶୀ । ଗୃହ ମନ୍ତ୍ରାଳୟ ମେ’ ୭ ତାରିଖରେ ୨୪୪ଟି ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ୧୯୭୧ ଯୁଦ୍ଧ ପରେ ପ୍ରଥମ । ଏପ୍ରିଲ ୨୨ରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନ ସହ ସୀମାରେ ନିରନ୍ତର ଗୁଳିବିନିମୟ ପରେ ଏହି ପଦକ୍ଷେପ ନିଆଯାଇଛି ।

 

 

Leave A Reply

Your email address will not be published.