ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ଵସ୍ତି। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣର ଅଧା ରିହାତି ଦେବେ ସରକାର । ଏ ନେଇ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ, ବକେୟା ଇ-ଚାଲାଣରେ ୫୦% ରିହାତି। ଜାତୀୟ ଲୋକ ଅଦାଲତରେ ପୈଠ ସୁବିଧା ମିଳିବ।
ସୂଚନା ଯୋଗ୍ୟ; ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ‘ୱାନ୍ ଟାଇମ୍ ସେଟେଲମେଣ୍ଟ’ ଯୋଜନା ପ୍ରଣୟନ କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ।
ଏହି ଯୋଜନାରେ ସାଧାରଣ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଚାଲାଣରେ ଥିବା ମୂଳ ଜରିମାନା ରାଶିର ମାତ୍ର ୫୦ ପ୍ରତିଶତ ପୈଠ କରିବାକୁ ପଡ଼ିବ। ବିଶେଷ କରି ହେଲମେଟ୍ ପିନ୍ଧି ନଥିବା, ସିଟ୍ ବେଲ୍ଟ ବାନ୍ଧି ନଥିବା କିମ୍ବା ବାଇକରେ ତିନି ଜଣ ବସି ଯାତ୍ରା କରୁଥିବା ଚାଳକଙ୍କ ପାଇଁ ଜରିମାନା ରାଶିକୁ ମାତ୍ର ୫୦୦ ଟଙ୍କାକୁ କମାଇ ଦିଆଯାଇଛି। ସେହିପରି ରେଡ୍ ଲାଇଟ୍ ଡେଇଁବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରିବା ଏବଂ ଭୁଲ୍ ଦିଗରେ ଗାଡ଼ି ଚଳାଇବା ଭଳି ସମ୍ବେଦନଶୀଳ ଅପରାଧ ପାଇଁ ୧୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ହାଲୁକା ଯାନ ପାଇଁ ୧୦୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୨୦୦୦ ଟଙ୍କା ଦେଇ ମାମଲାର ସମାଧାନ କରାଯାଇପାରିବ।
ଲୋକ ଅଦାଲତ ପରିସରରେ ଥିବା ସ୍ୱତନ୍ତ୍ର କାଉଣ୍ଟର କିମ୍ବା ସରକାରଙ୍କ ଅନୁମୋଦିତ ଇ-ଚାଲାଣ ପୋର୍ଟାଲ ମାଧ୍ୟମରେ ଏହି ଅର୍ଥ ପୈଠ କରିବାକୁ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ପରିବହନ ବିଭାଗ ଏବଂ ପୁଲିସ୍ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସରକାର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।