ରାଜନୀତିରେ ବଡ଼ ହଇଚଇ: ଶଳାଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

0

ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ମଧ୍ୟ ଗଡ଼ ବଞ୍ଚେଇ ପାରିଲେନି। ହାରିଗଲେ ପ୍ରଣବ ବଳବନ୍ତରାୟ , ଡାନି ଘଡେଙ୍କ ଭଳି ନେତା।

ତେବେ ଯାଜପୁର କରଦା ହରିହାଟ ମହୋତ୍ସବ ମଞ୍ଚ ସର୍ବଦା ଚର୍ଚ୍ଚାରେ ରହି ଆସୁଛି। ଉଦ୍‌ଯାପନୀ ଉତ୍ସବରେ ବବିଙ୍କ ନାଁ ନ ନେଇ ଡାଇଲଗ୍‌ ବାଣ ଛାଡ଼ିଲେ ଭିଣୋଇ ଅଭିନେତା ତଥା ଭାଜପା ନେତା ଅରିନ୍ଦମ ରାୟ। ତାଙ୍କ ସହ ଯୋଡି ହୋଇଥିଲେ ବିଧାୟକ ଆକାଶ ଦାସ ନାୟକ।

ଅରିନ୍ଦମ ମଞ୍ଚରେ କହିଥିଲେ, ଯାଜପୁର ସାଙ୍ଗରେ ମୋର ସମ୍ପର୍କ ଅଛି, ହେଲେ ମୁଁ ୨୦୨୪ ପର ଠାରୁ ଯାଜପୁର ଆସିନଥିଲି, ଆକାଶ ଭାଇ ଆଜି ମୋତେ ଯାଜପୁର ଆସିବାର ସୁଯୋଗ ଦେଇଛନ୍ତି। ଆକାଶ ଭାଇ ବହୁତ ନରମ ଥିଲେ ଏବେ ଗରମ ହେଲେଣି ବୋଲି ଅରିନ୍ଦମ କହିଥିଲେ । ଏହା ସହ ଆକାଶଙ୍କୁ ଗରମ କରିବା ପାଇଁ ଅରିନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହୋଇଗଲା ଭାବ’ର ଏକ ଡାଇଲଗ କହିଥିଲେ। ସେ ଡାଇଲଗ ହେଲା – ମୁଁ ମନା କରୁଛି, ମୁଁ ମନା କରୁଛି,ମୋ ସାଙ୍ଗ ରେ ନାଗ ନା , ନାଗ ନା, ନାମ ନେ, ସେ ନାମ ଦେଇଛନ୍ତି। ଏ ଡାଇଲଗ ଆକାଶ ଭାଇ କହିବା କଥା ମୁଁ ତାଙ୍କ ପାଇଁ କହୁଛି। ଆକାଶ ଭାଇ ଆଗକୁ ଯାଅ ଆମେ ତୁମ ସାଥୀରେ ଅଛୁ।

ଆକାଶ ମଧ୍ୟ ମଞ୍ଚ ଉପରୁ ନାଁ ନନେଇ ବବିଙ୍କୁ ଟାର୍ଗେଟ୍‌ କରି କହିଥିଲେ କୋରେଇ ଲୋକ ଖଟ ମୁଣ୍ଡେଇ ନାହାନ୍ତି, ମୁଣ୍ଡ ଖଟେଇଛନ୍ତି। କୋରେଇ ଲୋକଙ୍କୁ ବୋକା ଭାବିବନି, କୋରେଇ ଲୋକ ବହୁତ୍‌ ଚାଲାକ। ରାମାୟଣରେ ରାବଣ ଛଦ୍ମ ବେଶରେ ଆସିଥିଲେ, ସେହି ଛଦ୍ମ ବେଶୀ ରାବଣ ମାନେ ଯେଉଁ ସାଧୁ ବେଶରେ ଆସି ଏବେ କୋରେଇରେ ଘରେ ଘରେ ବୁଲୁଛନ୍ତି ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡ଼ିବ। ଆମେ ଆଉ ଠକି ହେବାନି, କୋରେଇର ଭାଗ୍ୟ କୋରେଇର ପୁଅ କୋରେଇ ବାସୀ ଲେଖିବେ।

ଗତ ବର୍ଷ ମଧ୍ୟ ବବିଙ୍କୁ ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।

ଉଦ୍‌ଯାପନୀ ଉତ୍ସବରେ ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷଙ୍କ ସମେତ କରଦା ହରିହାଟ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.