ବିହାର SIR: ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

0

ନିର୍ବାଚନ କମିଶନଙ୍କ ବିହାରରେ SIR କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଆସନ୍ତାକାଲି ଆବେଦନର ଶୁଣାଣି କରିବେ ।  ବିଚାରପତି ସୂର୍ଯ୍ୟକାନ୍ତ ଏବଂ  ବିଚାରପତି ଜ୍ୟୋମଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।  ବିହାରରେ ସ୍ପେସାଲ ଇଣ୍ଟେନସିଭ ରିଭିଜନ ଅର୍ଥାତ୍ SIR ୨୪ ଜୁନରେ ଆରମ୍ଭ ହୋଇଥିଲା ।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍, ମନୋଜ ଝା, ମହୁଆ ମୋଇତ୍ରା, ଯୋଗେନ୍ଦ୍ର ଯାଦବ SIRକୁ ଚ୍ୟାଲେଞ୍ଜ କରିଛନ୍ତି ।  ଏହି ମାମଲା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।  ଗତ ଶୁଣାଣିରେ  ସୁପ୍ରିମକୋର୍ଟ ଦାବି ଏବଂ ଆପତ୍ତି ପାଇଁ ସମୟ ସୀମା ବୃଦ୍ଧି କରିବାକୁ ମନା କରିଦେଇଥିଲେ। ଏହା ପରେ,  ସେପ୍ଟେମ୍ବର ୧ ପରେ ମଧ୍ୟ ଦାବି ଗ୍ରହଣ କରାଯିବ ନିର୍ବାଚନ କମିଶନ କୋର୍ଟଙ୍କୁ କହିଥିଲେ ।

ଅଗଷ୍ଟ ୨୨  ତାରିଖରେ ହୋଇଥିବା ଶେଷ ଶୁଣାଣିରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରମାନେ ଅନଲାଇନ ଏବଂ ଅଫଲାଇନ ଉଭୟରେ ସେମାନଙ୍କର ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଏହା ପରେ ମଧ୍ୟ ଅନେକ ରାଜନୈତିକ ଦଳ ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଥିଲେ ।

ସେପ୍ଟେମ୍ବର ୧ ତାରିଖରେ ହୋଇଥିବା ଶୁଣାଣିରେ, ନିର୍ବାଚନ କମିଶନ କୋର୍ଟକୁ କହିଥିଲେ ଯେ ସେପ୍ଟେମ୍ବର ୧ ପରେ ମଧ୍ୟ ଦାବି, ଆପତ୍ତି ଏବଂ ସଂଶୋଧନ ଦାଖଲ କରାଯାଇପାରିବ, କିନ୍ତୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ହେବା ପରେ ହିଁ ଏଗୁଡ଼ିକ ବିଚାର କରାଯିବ। କମିଶନ କହିଥିଲେ ଯେ ଶେଷ ନାମାଙ୍କନ ତାରିଖ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରାଯାଇପାରିବ।

୨୦୦୩ ପରେ ପ୍ରଥମ ଥର ପାଇଁ ବିହାରରେ SIR କରାଯାଉଛି ।  ଏହାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ସଫା କରିବା, ମୃତ, ସ୍ଥାନାନ୍ତରିତ ଏବଂ ଅଯୋଗ୍ୟ ଲୋକଙ୍କ ନାମ ବାଦ ଦେବା ଏବଂ ନୂତନ ଭୋଟର ଯୋଡିବା । ଅଗଷ୍ଟ ୧୪ ତାରିଖରେ ହୋଇଥିବା ଶୁଣାଣିରେ, ସର୍ବୋଚ୍ଚ ନ୍ୟାୟାଳୟ ୬୫ ଲକ୍ଷ ନିଖୋଜ ନାମର ତାଲିକା ୱେବସାଇଟରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  କୋର୍ଟ ଆଧାର ଭୋଟର ପରିଚୟପତ୍ର ଏବଂ ରାସନ କାର୍ଡ ଭଳି ଦସ୍ତାବିଜ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଭୋଟର ସଂଶୋଧନ ପରେ ବିହାରରେ ମୋଟ ୭.୨୪ କୋଟି ଭୋଟର ଅଛନ୍ତି  ।  ୬୫ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଛି ।  ଯେଉଁମାନଙ୍କ ନାମ ବାଦ ଦିଆଯାଇଛି ସେମାନଙ୍କ ମଧ୍ୟରେ ମୃତ, ବିସ୍ଥାପିତ ଏବଂ ବିଦେଶୀ ଭୋଟର ଅଛନ୍ତି ।

Leave A Reply

Your email address will not be published.