ଭୁବନେଶ୍ବର (ଆମ ଟିଭି): ଛତିଶଗଡ଼ ରାଜ୍ୟପାଳଙ୍କୁ ସମାଲୋଚନା କଲା ବିଜେଡି । ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଜେଡି ପକ୍ଷରୁ ସମାଲୋଚନା କରାଯାଇଛି। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ନିରପକ୍ଷେ ଭୂମିକା ଗ୍ରହଣ କରିଛନ୍ତି। ମାତ୍ର କିଛିଦିନ ହେବ ଛତିଶଗଡ଼ର ରାଜ୍ୟପାଳ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ମତ ରଖିବା ଆରମ୍ଭ କରିଛନ୍ତି। ଯାହାକି ତାଙ୍କଠାରୁ ଆଶା କରାଯାଉନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିଥାନ୍ତି। ରାଜ୍ୟପାଳମାନେ ଅଣ ରାଜନୈତିକ ପଦବିରେ ଅଧିଷ୍ଠିତ ଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସଂପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ।