ଆଜିଠୁ ବିଜେଡିର ତାଲିମ ଶିବିର
ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆଜିଠୁ ବିଜେଡି ଆରମ୍ଭ କରିବ ବିଧିବଦ୍ଧ ଅଭିଯାନ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେଆଜିଠୁ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆରମ୍ଭ ହେବ ମାଷ୍ଟର ଟ୍ରେନର୍ମାନଙ୍କର ପ୍ରଶିକ୍ଷଣ କାର୍ୟ୍ୟକ୍ରମ। ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ କମିଟି ଏହି କାର୍ୟ୍ୟକ୍ରମର ପରିଚାଳନା କରିବ। ଦଳର ଶୀର୍ଷ ନେତୃତ୍ୱ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ କରିବେ।
ସୂଚନାନୁସାରେ, ଆଜିଠୁ ୩୯ଦିନ ପର୍ୟ୍ୟନ୍ତ ଏହି ପ୍ରଶିକ୍ଷଣ ପର୍ବ ଚାଲିବ। ଦୈନିକ ଚାରିଟି ପର୍ୟ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅନ୍ୟୂନ ୩/୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନ୍ର ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ସାମିଲ କରାଯିବ। ଏଥିରେ ମୁଖ୍ୟତଃ ଓଡ଼ିଶାର ଗୌରବମୟ ଅତୀତ, ପ୍ରବାଦପୁରୁଷ ବିଜୁବାବୁଙ୍କ ଅବଦାନ, ମହାବାତ୍ୟା ପୂର୍ବ ଏବଂ ପରର ସ୍ଥିତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉପଲବ୍ଧି, ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମାଇଲଖୁଣ୍ଟ, ଜନହିତକର କାର୍ୟ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।