ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା କାରଣ

0

ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ଘୋଷଣା କରାଯାଇଛି। ଭରତପୁର ଥାନାରେ ଘଟିଥିବା ଘଟଣା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା। ରୋଡ୍‌ ରୋମିଓଙ୍କ ଦ୍ୱାରା ନିର୍ଯାତିତ ହୋଇ ଥାନାକୁ ସହାୟତା ପାଇଁ ଯାଇଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ସହାୟତା ଦେବା ବଦଳରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ସରକାର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ। ହାଇକୋର୍ଟଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ବିତ ହେବ। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି କହିଛି, ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ଆମେ ଆନ୍ଦୋଳନ ପ୍ରତ୍ୟାହୃତ କରିନେଉଛୁ।

ସୂଚନାଯୋଗ୍ୟ, ୧୫ ତାରିଖ ରାତିରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁଭନ୍ସଙ୍କ ସହ ଅଙ୍କିତା ଫେରୁଥିଲେ। ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ହଇରାଣ କରିଥିଲେ। ସେଠାରୁ ବହୁ କଷ୍ଟରେ ମୁକୁଳିବା ପରେ ସେମାନଙ୍କ ନାଁରେ ଏତଲା ଦେବାକୁ ଉଭୟେ ଭରତପୁର ଥାନାକୁ ଯାଇଥିଲେ। ସେତେବେଳେ ଥାନାରେ ନାଇଟ୍‌ ଡ୍ରେସ୍‌ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଳ ବସିଥିଲେ। ଏତଲା ରଖିବା ବଦଳରେ ଅଧିକାରୀ ଜଣକ ସେଠାରେ ଗାଳିଗୁଲଜ କରିଥିବା ଅଙ୍କିତା ତାଙ୍କ ଅଭିଯୋଗ ଦର୍ଶାଇଥିଲେ। କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁଭନ୍ସଙ୍କୁ ହାଜତରେ ପୂରାଇଦେଲେ। ଅଙ୍କିତା ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ତାଙ୍କୁ ଘୋଷାଡ଼ି ପିଟିଥିଲେ ବୋଲି ଅଙ୍କିତ ପୂର୍ବରୁ ଅଭିଯୋଗ କରିଥିଲେ। ଏତିକିବେଳେ ଜଣେ ମହିଳା କନଷ୍ଟେବଳ ତାଙ୍କ ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ି ଦେଇଥିଲେ। ଏହାପରେ ସେମାନେ ଅଙ୍କିତାଙ୍କ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଇଥିଲେ। ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଥିଲେ, ଭୋର୍‌ ସମୟରେ ଆଇଆଇସି ପହଞ୍ଚି, ଶାରୀରିକ ଅତ୍ୟାଚାର କରିଥିଲେ ବୋଲି ଅଙ୍କିତା ଅଭିଯୋଗ କରିବା ପରେ ରାଜ୍ୟଠୁ ଦେଶ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.