ଅତାବିରା ଓ ହିନ୍ଦୋଳରେ ବାଜିମାତ କଲା ବିଜେଡି

0

ଭୁବନେଶ୍ୱର :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ବାଜି ମାରିଛି ବିଜେଡି। ଅତାବିରା ଏନ୍‌ଏସିରେ ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସେହିପରି ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବି ହାତେଇଛି ଶଙ୍ଖ ଦଳ । ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡିର କେଶବ ପ୍ରଧାନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ୧୬ଟି ୱାର୍ଡରୁ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଅତାବିରା ଓ ହିନ୍ଦୋଳରେ ଏନ୍‌ଏସିରେ ବିଜେଡି ବିଜୟ ହାସଲ କରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ନାଚି ଓ ପରସ୍ପରକୁ ମିଠା ଖୁଆଇ ଉତ୍ସାହ ମନାଇଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା ।

Leave A Reply

Your email address will not be published.