ଭୁବନେଶ୍ୱର : ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି। ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ।
ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ୧୭ ତାରିଖ ଥିବା ବେଳେ ବିଜେଡି ଆଜି ବର୍ଷାଙ୍କୁ ପ୍ରାର୍ଥୀ କରିଛି ଓ ସେ ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ପଦ୍ମପୁରରେ ବିଜେଡିକୁ ବିଭିନ୍ନ କାରଣ ପାଇଁ ଏସିଡ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଓ କଂଗ୍ରେସର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେଡି କେଉଁ ଆଧାରରେ ବର୍ଷାଙ୍କୁ ପାର୍ଥୀ କଲା ତାକୁ ନେଇ ଏବେ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି।