ଭୁବନେଶ୍ୱର (ଆମ ଟିଭି): ବିଜେଡିକୁ ବଡ଼ ଝଟକା । ଗୋଟିଏ ପଟେ ବିଜୁ ଜନତା ଦଳର ପଦଯାତ୍ରା ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଜଣେ ଟାଣୁଆ ରାଜନେତା ଦଳ ଛାଡ଼ିଛନ୍ତି । ବିଜେଡି ନେତା ତଥା ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ତେଜେଶ୍ୱର ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।
ଏନେଇ ତେଜେଶ୍ୱର ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ମୋତେ ଜନତାଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସେଥିପାଇଁ ଚିର କୃତଜ୍ଞ ରହିବି । ଦଳରେ ମୁଁ ଦୀର୍ଘଦିନ ଧରି ଜଣେ ଦାୟିତ୍ୱବାନ, କର୍ତ୍ତବ୍ୟପରାୟଣ, ସଚ୍ଚୋଟ କର୍ମୀ ଭାବେ କାର୍ୟ୍ୟ କରିଥିଲି । ଦଳର ପର୍ୟ୍ୟବେକ୍ଷକ ଭାବେ ବିଭିନ୍ନ ଜିଲ୍ଲାରେ ମୁଁ ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲି । ଦଳର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ପ୍ରୟାସ କରି ଆସିଥିଲି । ତେବେ ତେଜେଶ୍ୱର ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।