ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା :ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଟଙ୍କଧର ତ୍ରିପାଠୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ କହିଛନ୍ତି, କେବଳ ତାଙ୍କ ମୁଣ୍ଡ ଉପରେ ଗୁରୁ ଦାୟିତ୍ୱ ପଡ଼ିନି, ଝାରସୁଗୁଡ଼ା ଲୋକଙ୍କ ଉପରକୁ ମଧ୍ୟ ଗୁରୁଦାୟିତ୍ୱ ଆସିଯାଇଛି। ଏହି ନିର୍ବାଚନ ଲଢ଼େଇ ୨୪ ବର୍ଷ ଧରି ରାଜ୍ୟରେ ଥିବା ଅନ୍ୟାୟୀ ସରକାର ସହ ସାଧାରଣ ନାଗରିକଙ୍କ ଭିତରେ ହେବ। ସେ ଓ ବିଜେପି ଦଳ ନିମିତ ମାତ୍ର। ଭୟମୁକ୍ତ, ସୁରକ୍ଷିତ, ପ୍ରଦୂଷଣମୁକ୍ତ, ସ୍ୱଚ୍ଛ ଓ ସମୃଦ୍ଧ ଝାରସୁଗୁଡ଼ା ଗଠନ କରିବା ଏହି ନିର୍ବାଚନର ମୁଖ୍ୟ ମୁଦ୍ଦା ହୋଇଛି ବୋଲି ସେ କହିଛନ୍ତି।
ସେପଟେ ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ସହ ସିମ୍ପାଥି ଭୋଟ ରହିବ କି ବୋଲି ପଚାରିବା ବେଳେ ସେ କହିଛନ୍ତି, ‘ଦୀପାଳି ତାଙ୍କ ସାନ ଭଉଣୀ ଭଳି। ତେଣୁ ଏନେଇ କିଛି ମନ୍ତବ୍ୟ ଦେବେନାହିଁ।’ ସେ ନାମାଙ୍କନପତ୍ର ଦାଖଲ କରିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଜେପି ରାଜ୍ୟ ସଭାପତି କେଭି ସିଂହ ଦେଓ, ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସାଧାରଣ ଲୋକ ବିଜେପି ସହ ଅଛନ୍ତି। ସେମାନେ ନିର୍ବାଚନ ଲଢ଼ୁଛନ୍ତି। ଆମେ ତାଙ୍କ ସହଯୋଗୀ ହେବୁ। ଯେଉଁଦିନ ନବ ଦାସଙ୍କୁ ହତ୍ୟା କରାଗଲା ଲୋକେ ସେହିଦିନରୁ ସେମାନଙ୍କ ସୁରକ୍ଷା ନିମନ୍ତେ ଚିନ୍ତିତ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ଏହି ଦିନ ଏଠାରେ ନୈତିକତା ହରାଇଛି। ଯେଉଁ ସରକାର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଏଠାରେ ଲଢ଼ିବାର ନୈତିକ ସାହାସ ହରାଇଛି। ତେଣୁ ସାଧାରଣ ଲୋକ ନିଷ୍ପତ୍ତି କରିଛନ୍ତି ଏଠାରେ କ୍ଷମତା ପରିବର୍ତ୍ତନ ନିଶ୍ଚୟ କରିବେ। ବୁଟେଲ ବିରୋଧରେ ବାଲଟ ଏଥର ନିର୍ଣ୍ଣାୟକ ଭୂମିକା ନେବ।