ମା’ମାନଙ୍କ ବିଶ୍ୱାସ ସହ ଖେଳୁଛି ବିଜେପି: ନବୀନ

0

ଭୁବନେଶ୍ୱର (ଆମ ଟିଭି): ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ବିଜେପିର ସବୁଠାରୁ ବଡ଼ ପରିଚୟ ହେଉଛି ମିଛ। ‌ଏବେ ସମୟ ଆସିଛି ବିଜେପିର ମିଛ ରହସ୍ୟ ଖୋଲିବାକୁ ପଡ଼ିବ। ଶଙ୍ଖ ଭବନରେ ଆୟୋଜିତ ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଭଳି ଆହ୍ୱାନ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ, ନିର୍ବାଚନ ସମୟରେ ବିଜେପିର ବଡ଼ ବଡ଼ ନେତା ଓଡିଶା ଆସିଲେ। ହାତୀ ଦେବୁ, ଘୋଡା ଦେବୁ କହିଲେ। ମାତ୍ର କାମରେ ଶୂନ। ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମା’ମାନଙ୍କୁ ୫୦ ହଜାର ଟଙ୍କା ଦେବ ବୋଲି ବିଜେପି କହିଥିଲା। ହେଲେ ଏବେ ଅଳ୍ପ କିଛି ମା’ଙ୍କୁ ସୁଭଦ୍ରା ଯୋଜନାରେ ୬ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା। ସେହିପରି ୩୦୦ ୟୁନିଟ୍‌ ମାଗଣା ବିଜୁଳି ମଧ୍ୟ ମିଛ। ମା’ମାନଙ୍କ ସହ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ। ତେଣୁ ରାଜ୍ୟର ପ୍ରତି ଘରେ ଘରେ ବିଜେପିର ମିଛକୁ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ।

ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଘଟଣାରେ ଚିନ୍ତାପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଲେ ଆମ ସଂସ୍କୃତିରେ ମା’ମାନଙ୍କୁ ଦେବୀ ଭାବେ ପୂଜା କରୁ। ସେମାନଙ୍କ ଉପରେ ଅତ୍ୟାଚାର ଈଶ୍ୱରଙ୍କ ସହ ଦ୍ରୋହ। ଅତ୍ୟାଚାରର ଶିକାର ହେଉଥିବା ମହିଳାମାନଙ୍କୁ ସାହାଯ୍ୟ କରିବାକୁ ସେ ଦଳର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆମ ସମସ୍ତଙ୍କ ସାମୂହିକ ଉଦ୍ୟମ ହିଁ ମା’ଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ। ସାରା ଦେଶରେ ମହିଳା ସଶକ୍ତୀକରଣର ମୂଳଦୁଆ ବିଜୁ ବାବୁ ପକାଇଥିଲେ। ବିଜେଡି ସବୁବେଳେ ମା’ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ମଧ୍ୟ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ବ୍ୟବସ୍ଥା ଆସିବ। ତେଣୁ ଆମେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ସହ ଅଧିକରୁ ଅଧିକ ମହିଳା କିଭଳି ସଦସ୍ୟ ଗ୍ରହଣ କରିବେ ସେଦିଗରେ ପଦକ୍ଷେପ ନେବାକୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ।

Leave A Reply

Your email address will not be published.