ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ରାଜନୀତିରେ ଏବେ ଡିଲକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । ଭଟଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ଆମେ କାହା ସହ ଡିଲ କରିନୁ । ବରଂ କଂଗ୍ରେସ ନେତାଙ୍କ ସହ ଡିଲ କରିଥିଲା ବିଜେପି । ୨୦୧୪ରେ ସତ୍ୟଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରିଥିବା ବେଳେ ୨୦୨୨ ଉପ-ନିର୍ବାଚନରେ ପୂର୍ବତନ ସାଂସଦଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ନିଜ ସପକ୍ଷକୁ ଟାଣିବାକୁ ପ୍ରୟାସ କରିଥିଲେ । ଏପରିକି ବିଜେପିକୁ ମିଳିଥିବା ଭୋଟରେ କଂଗ୍ରେସର କିଛି ଭୋଟ ମଧ୍ୟ ରହିଛି । କିନ୍ତୁ ବିଜେଡି ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ୟ୍ୟ ଜରିଆରେ ଭୋଟ ହାତେଇଛି । ପଦ୍ମପୁରରେ ବିଜେପି ଅତି ନିମ୍ନ ସ୍ତରର ରାଜନୀତି କରିଥିଲା । ବ୍ୟକ୍ତିଗତ ଭାବେ ବିଜେଡି ପ୍ରାର୍ଥୀଙ୍କୁ ଆକ୍ଷେପ କରିଥିଲେ ବିଜେପି ନେତା ଓ କର୍ମୀ । ଯାହାକୁ ଗ୍ରହଣ କଲେନି ପଦ୍ମପୁରବାସୀ । ଅନ୍ୟପଟେ ଡିଲ୍ ରାଜନୀତି ବିଜେପି ପାଇଁ ନୂଆ ନୁହେଁ । କାରଣ ଧାମନଗରରେ ମଧ୍ୟ ରାଜୁ ଦାସଙ୍କ ସହ ଡିଲ୍ କରିଥିଲା ବିଜେପି । ରାଜୁ ଦାସଙ୍କୁ ଟିକେଟ ନମିଳିବା ପରେ ତୁରନ୍ତ ବିଜେପି ନେତା ପାଖକୁ ଯାଇ ନିର୍ବାଚନ ଲଢିବାକୁ ମତାଇଥିଲେ । ଆଉ ବିଜେଡି ନିଜର ଷ୍ଟ୍ରାଟେଜିରେ କିଛି ମାତ୍ରାରେ ଫେଲ୍ ମାରିବାରୁ ଧାମନଗର ଆସନ ହରାଇଥିଲା । କିନ୍ତୁ ୨୦୨୪ରେ ସେମିତି ଦେଖିବାକୁ ମିଳିବନି ।
ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ସୁଶାନ୍ତ କହିଛନ୍ତି, ବିଜେପି ଏଭଳି ଯୋଜନା କରୁଛି । କାରଣ ହିମାଚଳ ପ୍ରଦେଶରେ ଦଳ ହାରିଛି । ସେହିଭଳି ଆଗକୁ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟରେ ବିଜେପିର ସ୍ଥିତି ଭଲ ନାହିଁ । ଏପରିକି ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ଯେଉଁଭଳି ସରକାର ଗଢିଲା ତାହା କାହାକୁ ଅଛପା ନାହିଁ । ତେଣୁ ଏଭଳି ସ୍ଥିତିରେ ଉକ୍ତ ରାଜ୍ୟର ଫଳାଫଳ ବିଜେପି ସପକ୍ଷରେ ଯିବନି ବୋଲି ଅନୁମାନ କରୁଛନ୍ତି ଦଳର ଶୀର୍ଷ ନେତୃତ୍ୱ । ଯେଉଁଥିପାଇଁ ଉକ୍ତ ରାଜ୍ୟର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ କରିବାକୁ ବିଜେପି ନେତୃବୃନ୍ଦ ଅଣ୍ଟା ଭିଡୁଥିବା କୁହାଯାଉଛି ।