ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ମଦ ଦୁର୍ନୀତିକୁ ନେଇ ରାଜନୀତି ଜୋର ଧରିଛି । ଦିଲ୍ଲୀର ମଦ ଦୁର୍ନୀତି ଉପରେ ତଦନ୍ତ ଚାଲିଥିବା ବେଳେ ଶନିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ୍ ଆଦ୍ମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର ଆପ୍ କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତି।
ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଛନ୍ତି ଯେ, ଆପ୍ ସୁପ୍ରିମୋ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳୀୟ କର୍ମୀମାନଙ୍କୁ ସରକାରୀ ଚାକିରି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିବେଦୀ କହିଲେ ଯେ, ଆପ୍ କର୍ମୀମାନେ ଦିଲ୍ଲୀ ସରକାରଙ୍କ ପେ-ରୋଲ୍ରେ ଥିଲେ ମଧ୍ୟ କେଜ୍ରିୱାଲଙ୍କ ପାଇଁ, ବିଶେଷତଃ ତାଙ୍କ ସୋସିଆଲ ମିଡ଼ିଆ ଟିମ୍ ପାଇଁ କାମ କରୁଛନ୍ତି। ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରି କ୍ଷମତାକୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ଏବେ ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିର୍ଦ୍ଦେଶରେ ସର୍ଭିସ ଡିପାର୍ଟମେଣ୍ଟ ଜାତୀୟ ରାଜଧାନୀର ବିଭିନ୍ନ ସରକାରୀ ବିଭାଗରେ ସ୍ପେସାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ୪୦୦ ଲୋକଙ୍କୁ ବହିଷ୍କାର କରିବା ପରେ ବିଜେପି ଏପରି ଅଭିଯୋଗ ଆଣିଛି। ।