ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରେସମିଟ୍ କରି ବିଜେଡି ଉପରେ ପ୍ରବଳ ବର୍ଷିଛି ବିଜେପି ଯୁବ ମୋର୍ଚ୍ଚା । ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହାକୁ ନେଇ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ଆଜି ଏକ ପ୍ରେସମିଟ୍ରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିମାନବନ୍ଦରରେ ବିଜେଡି ନେତା ଯେଭଳି ଆଚରଣ କଲେ ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଜାତୀୟ ସ୍ତରରେ ଓଡ଼ିଶାକୁ ଅପମାନିତ କରିଛି ବୋଲି କହିଛନ୍ତି ଈରାଶିଷ ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଯେଉଁ କାର୍ୟ୍ୟକଳାପ ଘଟିଲା ତାହା ଯଦି ମିଛ ନୁହେଁ ତାହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦିଅନ୍ତୁ। ଉକ୍ତ ଦିନ ଇଣ୍ଡିଗୋ ଫ୍ଲାଇଟ ବି ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଛି। ନିଶାସକ୍ତ ଅବସ୍ଥାରେ ସେମାନେ ପାଇଲଟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହାକୁ ନେଇ ସେଠାରେ ବିଶୃଙ୍ଖଳା ସୃଷ୍ଟି ହେଲା। ଫଳରେ ସେମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଗଲା ନାହିଁ । ପ୍ରେସ୍ ରିଲିଜରେ ବ୍ୟୋମକେଶ ରାୟ ଓ ପ୍ରଣବ ପ୍ରକାଶ ବଳବନ୍ତରାୟଙ୍କ ନାମ ଉଲ୍ଲେଖ ଅଛି। ସେମାନଙ୍କ ସହ ୧୨ରୁ ଊର୍ଦ୍ଧ୍ୱ ବିଧାୟକ ଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଲଜ୍ଜାଜନକ, ନିନ୍ଦନୀୟ ଘଟଣା। ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ ଅପମାନିତ, ନିନ୍ଦିତ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଇରାଶିଷ ଆଚାର୍ଯ୍ୟ ।