ବିଜେପିର ଶକ୍ତି ହେଉଛି ଆରଏସଏସ, କହିଲେ ପ୍ରଶାନ୍ତ

0

ପାଟନା : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି କହିଛନ୍ତି ଯେ ଆର୍‌ଏସ୍‌ଏସ୍‌ ହିଁ ବିଜେପିର ଅସଲ ଶକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଟକାଇବାପାଇଁ ଏକାଠି ହେଉଥିବା ବିରୋଧୀ ମେଣ୍ଟ ପ୍ରସଙ୍ଗରେ କିଶୋର କହିଛନ୍ତି, ବିଜେପିକୁ ଭଲଭାବେ ନବୁଝିବା ପର୍ଯ୍ୟନ୍ତ ବିଜେପିକୁ କେହି ପରାସ୍ତ କରିପାରିବେ ନାହିଁ।

ସେ କହିଛନ୍ତି- ଗୋଟିଏ କପ୍‌ କଫିକୁ ଧ୍ୟାନ ଦିଅନ୍ତୁ। କଫି କପ୍‌ର ଉପରେ ଫେଣ ଥାଏ। ବିଜେପି ଠିକ୍‌ ଏହି ଫେଣ ପରି। ଏହି ଫେଣ ତଳେ ଯାହା ଥାଏ ତାହା ହିଁ ହେଉଛି ଆରଏସଏସ। ଅକ୍ଟୋବର ୨ରୁ ବିହାରରେ ୩୫୦୦ କିମି ପଦଯାତ୍ରାରେ ଥିବା କିଶୋର ଆଜି ପଶ୍ଚିମ ଚମ୍ପାରଣରେ ଏହି ଟିପ୍ପଣୀ ଦେଇଛନ୍ତି। କିଶୋର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଦ୍ବାରା ନାଥୁରାମ ଗଡ଼ସେଙ୍କ ବିଚାରଧାରାକୁ ପ୍ରତିହତ କରି ହୋଇଥାନ୍ତା। ଯଦି ମୁଁ ନୀତୀଶ କୁମାର ଏବଂ ଜଗନ ମୋହନ ରେଡ୍ଡିଙ୍କ ଲକ୍ଷ୍ୟ ପୂରଣ ଦିଗରେ କାମ ନକରି ମହାତ୍ମାଙ୍କ ବିଚାରଧାରା ଅନୁଯାୟୀ କାମ କରିଥାନ୍ତି ତେବେ ବହୁତ ଭଲ ହୋଇଥାନ୍ତା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅନେକ କସରତ ସତ୍ତ୍ବେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରିନଥିଲେ। କିଶୋର କହିଛନ୍ତି, ‌ସେ ଏବେ ବି ଏହି ଅନୁଷ୍ଠାନକୁ ପ୍ରଶଂସା କରନ୍ତି କିନ୍ତୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଥିବା ପୁରୁଣା ଅବତାରକୁ ହିଁ ସେ ପ୍ରଶଂସା କରନ୍ତି।

Leave A Reply

Your email address will not be published.