ଜମ୍ମୁରେ ବିସ୍ଫୋରଣ , ୭ ଜଣ ଆହତ
ଶ୍ରୀନଗର: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଲାଗି ହାଇ ଆଲର୍ଟ ଜାରି ସତ୍ତ୍ବେ ଆଜି ସକାଳେ ଜମ୍ମୁ ରେଳ ଷ୍ଟେସନ୍ ନିକଟରେ ଦୁଇଟି କାର୍ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୭ଜଣ ଲୋକ ଆହତ ହେବା ଘଟଣା ଜମ୍ମୁ ଓ କଶ୍ମୀରର ନିରାପତ୍ତା ପରିସ୍ଥିତି ଆଶଙ୍କା ଉଦ୍ରେକ କରିଛି।
ଜମ୍ମୁର ନରୱାଲ୍ ଅଞ୍ଚଳରେ ବିସ୍ଫୋରଣ ସଙ୍ଗଠିତ ହୋଇଥିବା କଥା ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି।
ସୂଚନାଯୋଗ୍ୟ, ସମ୍ପ୍ରତି ଜମ୍ମୁଠାରୁ ୬୦ କିଲୋମିଟରୁ ଅଧିକ ଦୂରରେ ଥିବା ଚାଦୱାଲ୍ରେ ଗାନ୍ଧୀଙ୍କ ଯାତ୍ରା ବନ୍ଦ ରହିଛି।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ବିସ୍ଫୋରଣ ଘଟାଇବା ନିମନ୍ତେ କାର୍ଗୁଡ଼ିକରେ ‘ଆଇଇଡି’ ଖଞ୍ଜା ଯାଇଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା କଥା କୁହାଯାଉଛି।
ଗୁଇନ୍ଦାସୂତ୍ରରୁ ପ୍ରକାଶ ସେ ଅଞ୍ଚଳରେ ୩୦ ମିନିଟ୍ ବ୍ୟବଧାନରେ ଦୁଇଟି ଅତି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମହିନ୍ଦ୍ରା ବୋଲେରୋରେ ଘଟିଥିବା ବିସ୍ଫୋରଣରେ ୫ଜଣ ଲୋକ ଆହତ ହୋଇଥିଲେ। ତା’ର ଅଧଘଣ୍ଟା ପରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣରେ ଆଉ ୨ଜଣ ଲୋକ ଆହତ ହୋଇଛନ୍ତି।