ଭୁବନେଶ୍ୱର(ଆମ ଟିଭି): ରାଜଧାନୀରେ ବଢି ଚାଲିଛି କୁକୁର କାମୁଡା ଅଭିଯୋଗ । ଏନେଇ ଖୁବଶୀଘ୍ର ନୂଆ ନିୟମ ଆଣିବ ବିଏମସି । ଏଣିକି ପେଟ୍ ଆନିମଲ୍ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍ ଆନିମଲ ଗାଇଡଲାଇନ୍ସ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପେଟ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ନାହିଁ ସେ ନେଇ ତଦାରଖ କରାଯିବ। ଏଥିସହ ଡାକ୍ତର ପରାମର୍ଶ ନେଇ ପେଟ୍ ଆନିମଲ ରଖିବାକୁ ଅନୁମତି ମିଳିବ। ପେଟ୍ ଯେମିତି ଅନ୍ୟଙ୍କୁ କ୍ଷତି ନ ପହଞ୍ଚାଇବ, ସେଥିପାଇଁ ଅଣ୍ଡରଟେକିଙ୍ଗ ଲେଖି ଦେବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି।
ସେପଟେ ବିଏମ୍ସିର ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ କହିଛନ୍ତି, ବିଏମସି ଏପରି କାହିଁକି କରୁଛି? ତାହା ଜାଣିନାହିଁ। ଯଦି କିଛି ଘଟଣା ହୋଇଥିବ ତା’ହେଲେ ସେଇଟା ବ୍ୟକ୍ତିଗତ ଘଟଣା। ଘରେ ଆମେ ଯାହାକୁ ରଖୁ ସିଏ କୁକୁର ହେଉ ବା ବିଲେଇ, ସେମାନେ ହେଉଛନ୍ତି ମାଲିକଙ୍କ ଆଇନା। ମାଲିକଙ୍କ ଘରେ ଯଦି ସେମିତି କିଛି ହିଂସାତ୍ମ ଘଟଣା ଘଟୁଥିବ ବା ଅଶାନ୍ତ ପରିବେଶ ଥିବ, ତାହାର ପ୍ରଭାବ ପଶୁଙ୍କ ଉପରେ ପଡେ। ଆଉ ତା’ପରେ ସେମାନେ ହିଂସ୍ର ହୁଅନ୍ତି।