ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍
ନୂଆଦିଲ୍ଲୀ(ଆମ ଟିଭି): ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍ସନ୍। ୨୦୧୯ରେ ଲୋକେ ତାଙ୍କୁ ନିର୍ବାଚିତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ୍ସ। ସେହିପରି କୋଭିଡ ପାନଡେମିକ୍ ବେଳେ ଏହାର ସଫଳ ମୁକାବିଲାକୁ ନେଇ ନିଜ ଉପଲବ୍ଧିକୁ ବଖାଣିଛନ୍ତି ଜନ୍ସନ୍। ସମଗ୍ର ୟୁରୋପରେ ବ୍ରିଟେନରେ ପ୍ରଥମେ କୋଭିଡ୍ ଟିକା ଅଭିଯାନର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି। ଯୌନ କେଳେଙ୍କାରୀକୁ ନେଇ ବିବାଦରେ ଫସିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଥିଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ। କନ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେବାକୁ ରାଜି ହୋଇଥିଲେ।
ଜନ୍ସନ୍ ବିବାଦ ଘେରକୁ ଆସିବା ପରେ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇଥିଳେ । ଏପରିକି ଜନ୍ସନ୍ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍ ସରକାରରୁ ଓହରିଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଜ କନ୍ଜରଭେଟିଭ୍ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍ସନ୍ଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେବେ ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଜନ୍ସନ୍ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ରହିବେ।