କୁସ୍ତି ମହାସଂଘ ନିର୍ବାଚନ, ନାମାଙ୍କନ ଦାଖଲ କଲେ ବ୍ରିଜ ଭୂଷଣ
ବିଦାୟ ନେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବେ ନୂଆ ଭେଳିକି ଦେଖାଇଛନ୍ତି। ସେ ନିଜ ସମର୍ଥକଙ୍କ ବଳରେ କୁସ୍ତି ମହାସଂଘ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗକୁ କୁସ୍ତି ମହାସଂଘର ବିଭିନ୍ନ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ଏହାପୂର୍ବରୁ ଆଜି ବ୍ରିଜ ଭୂଷଣଙ୍କ ୧୮ ଜଣ ସମର୍ଥକ ନାମାଙ୍କନ ଭରିଛନ୍ତି। ତାଙ୍କ ବିରୋଧରେ ଦେଶର ଷ୍ଟାର ରେସଲରମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ବିବାଦରେ ଥିବା ବେଳେ ଜାମିନରେ ରହିଛନ୍ତି। ଏସବୁ ଭିତରେ ସେ କୁସ୍ତି ମହାସଂଘକୁ ନିଜର ପ୍ରକ୍ସିମାନଙ୍କ ଦ୍ୱାରା ନିୟନ୍ତ୍ରଣ କରିବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି।
ବ୍ରିଜ ଭୂଷଣଙ୍କ ୧୮ ସମର୍ଥକଙ୍କ ମଧ୍ୟରୁ ଜଣେ ସଭାପତି, ୬ ଜଣ ଉପ ସଭାପତି, ୭ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ, ଦୁଇ ଜଣ ଯୁଗ୍ମ ସମ୍ପାଦକ, ସାଧାରଣ ସମ୍ପାଦକ ପଦ ପାଇଁ ଜଣେ ଓ ଆଉ ଜଣେ ମହାସଂଘର କୋଷାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ମାମଲାରେ ଫସିଥିବା ବ୍ରିଜ ଭୂଷଣ ଶରଣ ସିଂହ କହିଛନ୍ତି, ତାଙ୍କ ପରିବାରର କୌଣସି ସଦସ୍ୟ ଆଗାମୀ କୁସ୍ତି ମହାସଂଘ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ। କିନ୍ତୁ ୨୫ ରାଜ୍ୟ କୁସ୍ତି ସଂଘ ମଧ୍ୟରୁ ୨୨ଟି ତାଙ୍କ ସହ ଜଡ଼ିତ ଲୋକଙ୍କୁ ସମର୍ଥନ କରୁଥିବା ସେ ଦାବି କରିଛନ୍ତି।