ଇସ୍ତଫା ଦେବାକୁ ମନା କରିଦେଲେ ବ୍ରିଜ ଭୂଷଣ ଶରଣ ସିଂ

0

ନୂଆଦିଲ୍ଲୀ :ମୁଁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ, ତେଣୁ ଅପରାଧୀ ହିସାବରେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମୋର କାହା ବିରୋଧରେ କିଛି ଅଭିଯୋଗ ନାହିଁ। ମୁଁ ଯେକୌଣସି ଯାଞ୍ଚର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି ଓ ନ୍ୟାୟ ପାଇବି ବୋଲି ଆଶା ରଖିଛି। ’ ଦିଲ୍ଲୀ ପୁଲିସ୍‌ ଗତ ରାତିରେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଥିବା ବେଳେ ଆଜି ନିଜ ସଫେଇରେ ସେ ଏପରି କହିଛନ୍ତି।

ଏଥିସହ ସେ କହିଛନ୍ତି, ‘ମୁଁ ସବୁ ଅଭିଯୋଗର ସାମନା କରିବାକୁ ପ୍ରସ୍ତୁତ ଅଛି। ଏହି ଧାରଣାରେ କୁସ୍ତିଯୋଦ୍ଧା ନୁହନ୍ତି, ବରଂ ଷଡଯନ୍ତ୍ରକାରୀମାନେ ସାମିଲ ହୋଇଛନ୍ତି । ମୋ ବିରୋଧରେ ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ଆଖଡ଼ା ଓ ଜଣେ ପ୍ରତିଷ୍ଠିତ ବିଜନେସମ୍ୟାନ ଷଡଯନ୍ତ୍ର କରୁଛନ୍ତି। କଂଗ୍ରେସ ମୋ’ ଛବିକୁ ମାଟିରେ ମିଶାଇବାକୁ ଲାଗି ପଡ଼ିଛି। ହେଲେ ମୋର ପୁଲିସ୍‌ ଓ ସୁପ୍ରିମ କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ’

ଯେଉଁମାନେ ଧାରଣାରେ ବସିଛନ୍ତି ସେମାନଙ୍କ ଦାବି ସବୁବେଳେ ବଦଳିବାରେ ଲାଗିଛି। ପ୍ରଥମେ ସେମାନେ ମୋର ଇସ୍ତଫା ଦାବି କଲେ। ହେଲେ ଇସ୍ତଫା ଦେବା ଅର୍ଥ ନିଜ ଦୋଷ ସ୍ୱୀକାର କରିବା ଭାବି ମୁଁ ଇସ୍ତଫା ଦେବାକୁ ମନା କଲି । ଏହାପରେ ୪ ମାସ ପର୍ଯ୍ୟନ୍ତ ସେମାନେ ମୋ’ ବିରୋଧରେ ବହୁ ଲୋକଙ୍କୁ ଉସୁକାଇଲେ ଓ ନୂଆ ନୂଆ ଲୋକଙ୍କୁ ନିଜ ସପକ୍ଷରେ ଛିଡ଼ା କରାଇଲେ । ଏବେ ସେମାନେ ମୋ’ ଗିରଫଦାରୀ ଦାବି କରୁଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ ଶରଣ ସିଂ । ମୁଁ ଏଯାଏ ଏଫଆଇଆର କପି ପାଇନାହିଁ। କପି ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

ରେସଲରମାନେ ପ୍ରଥମେ ରାଜନୈତିକ ପାର୍ଟିଙ୍କୁ ନିଜ ଆନ୍ଦୋଳନରୁ ଦୂରେଇ ରଖିବେ ବୋଲି ଘୋଷଣା କରିଥିବା ବେଳେ ଏବେ ସମସ୍ତ ପାର୍ଟିଙ୍କ ପାଇଁ ଜନ୍ତରମନ୍ତରରେ ହେଉଥିବା ଧାରଣାସ୍ଥଳକୁ ଉନ୍ମୁକ୍ତ କରାଯାଇଛି। ଫଳରେ ପପୁ ଯାଦବ, କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀଙ୍କ ପରି ନେତାମାନେ ଜନ୍ତର ମନ୍ତରକୁ ଯାଉଛନ୍ତି। ଦିଲ୍ଲୀ ପୁଲିସ୍ ରିପୋର୍ଟ ସାମନାକୁ ଆସିବା ପରେ ସେମାନେ ଜନ୍ତରମନ୍ତର ଯାଇଥିଲେ କ’ଣ ଅସୁବିଧା ହୋଇଥାନ୍ତା। ହେଲେ ଏତେ ତରବର ହୋଇ କାହିଁକି ଧାରଣା ସ୍ଥଳକୁ ଯାଉଥିଲେ, ଏହା ପଛାର କାରଣ ସ୍ପଷ୍ଟ ହୋଇ ପାରୁନି।

Leave A Reply

Your email address will not be published.