ନୂଆଦିଲ୍ଲୀ (ଆମ ଟିଭି): ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହୁଆ ମୋଇତ୍ରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ସମନ କରି ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ହେଲେ ଏବେ ହାଜର ହୋଇପାରିବେ ନାହିଁ ବୋଲି ଜବାବ ରଖିଛନ୍ତି ମହୁଆ ମୋଇତ୍ରା ।
ସେ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ ସେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି, ତେଣୁ ସେ ଆଜି ପଚରାଉଚରା ପାଇଁ ହାଜର ହୋଇପାରିବେ ନାହିଁ। ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଇଡି ଆଉ ଏକ ସମନ ପଠାଇଥିଲା ଏବଂ ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ଡାକିଥିଲା। ବୈଦେଶିକ ମୁଦ୍ରା ପରିଚାଳନା ଆଇନର ଉଲଂଘନ ମାମଲାରେ ଏହି ସମନ ଜାରି କରାଯାଇଛି। ଇଡି ପକ୍ଷରୁ ମହୁଆଙ୍କୁ ଏହା ତୃତୀୟ ସମନ ପଠାଯାଇଥିଲା। ଏହା ପୂର୍ବରୁ ମହୁଆ ମୋଇତ୍ରା ଇଡିକୁ ଚିଠି ଲେଖି ହାଜର ହେବା ପାଇଁ ସମୟ ମାଗିଥିଲେ। ତେବେ ତୃତୀୟ ସମନରେ ମଧ୍ୟ ସେ ଇଡି ନିକଟରେ ହାଜର ହୋଇନଥିଲେ।